
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱର ତୃତୀୟ ବାର୍ଷିକ ଉତ୍ସବ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଅସ୍ତିତ୍ୱର ସଭାପତି ଇପ୍ସିତା ବିଶ୍ୱାଳ ଓ ସମ୍ପାଦକ କୁନାଲ କୁମାର କେଶରୀଙ୍କ ଆବାହକତ୍ୱ ତଥା ସୁବ୍ରତା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ପ୍ରାକ୍ତନ କଂଗ୍ରେସ ସଭାପତି ରବି ରାୟ, ସାମ୍ବାଦିକ ଅଶୋକ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସାମ୍ବାଦିକ, ସମାଜସେବୀ, ଡାକ୍ତର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ସମସ୍ତ ଅତିଥିଙ୍କୁ ବ୍ୟବହାର ହେଉନଥିବା କାଚ ବୋତଲକୁ ସୁନ୍ଦର କାରୁକାର୍ଯ୍ୟ କରି ଉପହାର ଦେବା, ତାହା ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲା । ଏହି ଅବସରରେ ଅଧ୍ୟାପକ ଚିନ୍ମୟ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ଏକ ସଚେତନତା ମୂଳକ ନାଟକ ଅସ୍ତିତ୍ୱ ପରିବେଷଣ କରାଯାଇଥିଲା । ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ ରାଉତ । ଏହା ସହ ଶ୍ରୀ ସତ୍ୟସାଇ ବାଲବିକାଶ ତରଫରୁ ବେଦପାଠ, ଓଡିଶୀ ନୃତ୍ୟଶିଳ୍ପୀ ବିଶ୍ୱବନ୍ଦିତା ଦାସଙ୍କ ଓଡିଶୀ ନୃତ୍ୟ ତଥା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଲକ୍ଷ୍ମୀ ରାଉତ, ଶିବମ୍ ଜୟସ୍ୱାଲ, ତନୁଲତା ବିଶୋୟୀ, ନନ୍ଦିନୀ ମୁଣ୍ଡା, ଝରଣା ମହାରଣା, ତିଳୋତ୍ତମା ପୁରଣ, ଗୌରୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସଭାପତି ସୁଶ୍ରୀ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।