
- ଦେଶଭକ୍ତିର ଭାବନାରେ ଏକାଠି ହେଲେ ସମସ୍ତେ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁବାର ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଖପ୍ରାଖୋଲ ତହସିଲଦାର ସତ୍ୟସୁନ୍ଦର ରାଉତରାୟ, ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା, ସନ୍ତୋଷ ଭଇଁସାଲ, ହରିଶଙ୍କର କଲେଜର ଅଧ୍ୟକ୍ଷ ବଳଭଦ୍ର ଦାଶ, ବିଜେପି ମଣ୍ଡଳ ସଭାପତି ଉମାକାନ୍ତ ପଧାନ, ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର, ସିଡିପିଓ ଅମିତା ପଣ୍ଡା, ଅଗ୍ନିଶମ ବିଭାଗ ଅଧିକାରୀ ଜୟ ଗୋପାଳ ପଣ୍ଡା, ବନପାଳ ସୁଧୀର ଜେନାଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମୀ, ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ବିଜେପି କର୍ମୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ । ହାତରେ ଜାତୀୟ ପତାକା ଧରି ସମସ୍ତେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ଖପ୍ରାଖୋଲ ଗ୍ରାମ ପରିକ୍ରମା କରିଥିଲେ । ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ତ୍ରିରଙ୍ଗା ତଳେ ଏକତାର ସନ୍ଦେଶ ଦେଇଥିଲେ ସମସ୍ତେ । ଦେଶର ଗର୍ବ, ଗୌରବ ଓ ଅଖଣ୍ଡତାର ପ୍ରତୀକ ତ୍ରିରଙ୍ଗାକୁ ହାତରେ ଧରି ଦେଶମାତୃକାର ବନ୍ଦନା କରିଥିଲେ ଅଂଶଗ୍ରହଣକାରୀମାନେ । ଶୋଭାଯାତ୍ରା ସମୟରେ ‘ହର ଘର ତ୍ରିରଙ୍ଗା’ ନାରାରେ ସମଗ୍ର ଖପ୍ରାଖୋଲ ପ୍ରକମ୍ପିତ ହୋଇଉଠିଥିଲା । ଏହି ଶୋଭାଯାତ୍ରା ମାଧ୍ୟମରେ ଦେଶପ୍ରେମ, ଜାତୀୟ ଏକତା ଓ ନାଗରିକଙ୍କ ମଧ୍ୟରେ ଦେଶ ପ୍ରତି ଗର୍ବର ଭାବନାକୁ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା ।