
କଟକ, (ସସ୍ମିତା ପ୍ରଧାନ) : ଓଡ଼ିଶାର ପ୍ରଥମ ମହିଳା ବିଧାୟିକା ତଥା ସ୍ୱାଧୀନତା ସଂଗ୍ରାମୀ ଲୌହମାନବୀ ସରଳା ଦେବୀଙ୍କ ଜନ୍ମ ତାରିଖକୁ ନେଇ ବର୍ଷ ବର୍ଷ ଧରି ଦ୍ୱନ୍ଦ ଲାଗି ରହିଛି । ଅନେକ ସ୍ଥାନରେ ତାଙ୍କ ଜନ୍ମ ତାରିଖ ଅଗଷ୍ଟ ୯ ଏବଂ ଅନେକ ସ୍ଥାନରେ ଅଗଷ୍ଟ ୧୯ ବୋଲି ଉଲ୍ଲେଖ ରହିଛି । ସାମାଜିକ କର୍ମୀ ବିଶ୍ୱଜିତ ପାଣି ସୂଚନା ଅଧିକାର ଆଇନ ଜରିଆରେ ଓଡ଼ିଶା ବିଧାନସଭାରୁ ସୂଚନା ମାଗିଥିଲେ । ବିଧାନସଭାର ସୂଚନା ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ୧୯୩୭-୧୯୪୬ ମସିହାରେ କଟକ ସହର ପଶ୍ଚିମର ବିଧାୟିକା ସରଳା ଦେବୀଙ୍କ ଜନ୍ମ ତାରିଖ ୧୯୦୪ ମସିହା ଅଗଷ୍ଟ ୧୯ ତାରିଖ । ଶ୍ରୀ ପାଣି କହିଛନ୍ତି, ଅଗଷ୍ଟ ୯ ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ସହ ଯୋଡ଼ି କେତେକ ଅନୁଷ୍ଠାନ ତାଙ୍କ ଜୟନ୍ତୀ ପାଳନ କରୁଛନ୍ତି ଯାହା ଏଭଳି ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଅପମାନ । ସେ ସରକାରଙ୍କୁ ବିଧାନସଭାର ସରକାରୀ ତଥ୍ୟକୁ ଆଧାର କରି ଅଗଷ୍ଟ ୧୯କୁ ସରଳା ଦେବୀଙ୍କ ପ୍ରକୃତ ଜନ୍ମ ଦିବସ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ।