
- ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଗ୍ରାଉଣ୍ଡକୁ ଓହ୍ଲାଇ କଲେ ତଦନ୍ତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର-ବଲାଙ୍ଗିର ଏନ୍ଏଚ୍-୫୭ କଡ଼ରେ ଖମ୍ବେଶ୍ୱରୀପାଲି ଠାରେ ଥିବା ନାୟାରା ପେଟ୍ରୋଲ ପମ୍ପ ମାଲିକ ମନୋଜ ସାହୁଙ୍କ ଗୋଦାମରେ ବେଆଇନ ଭାବେ ଚାଲିଥିବା କଳାକାରବାରର ପର୍ଦ୍ଦାଫାଶ କରିଥିଲା ପ୍ରଶାସନ । ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ, ପୁଲିସ ବିଭାଗର ମିଳିତ ସହଯୋଗରେ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୮୯୦ ଲିଟର ବେଆଇନ କିରୋସିନ ଜବତ କରାଯାଇଥିଲା । କିରୋସିନ ସହ ଅନ୍ୟ କିଛି ମିଶାଇ ଡିଜେଲ ତିଆରି କରାଯିବା ସହ ବିକ୍ରି କରାଯାଉଥିବା ସୂଚନା ମିଳିଛି । କିରୋସିନ ସ୍କାମର ମାଷ୍ଟରମାଇଣ୍ଡ ଖୋଜିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ । ଆଜି ଘଟଣା ସ୍ଥଳରେ ସରଜମିନ ତଦନ୍ତ କଲେ ଖୋଦ ଜିଲ୍ଲାପାଳ । ସୋନପୁର କିରୋସିନ ସ୍କାମ କିରୋସିନିରୁ କେମିକାଲ ପକେଇ ନକଲି ଡିଜେଲ ତିଆରି କରୁଥିଲେ । ଏବେ ମନୋଜ ସାହୁ ବନ୍ଧା ହେବା ଥୟ । ଖମ୍ବେଶ୍ୱରୀପାଲିରେ ଚାଲିଥିବା ଏହି ବଡ଼ ଧରଣର କେଳେଙ୍କାରୀର ପର୍ଦ୍ଦାଫାସ ହେବା ପରେ, ଏବେ ଖୋଦ ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇଛନ୍ତି ଜିଲ୍ଲାପାଳ ଡ. ନୃପରାଜ ସାହୁ । ନିଜେ ଉପସ୍ଥିତ ରହି ତଦନ୍ତର ସମୀକ୍ଷା କରିବା ସହ ମାଫିଆଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପେଟ୍ରୋଲ ପମ୍ପ ମାଲିକ ଫେରାର ଥିବା ବେଳେ ତାଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଜିଲ୍ଲାପାଳ । ସେପଟେ ବେଆଇନ ଜମା ହୋଇଥିବା ବାଲିର ତଦନ୍ତ ଆରମ୍ଭ କରିଛି ମାଇନିଂ ବିଭାଗ । ୨ ଗୋଟି ହାଇୱାକୁ ପୋଲିସ ବ୍ୟାରକରେ ଅଟକ ରଖି ତଦନ୍ତ କରୁଥିବା କହିଛନ୍ତି ଜୁନିଅର ଖଣି ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ ।