
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକର୍କୁ ଓଡିଶା ଭିଜିଲାନ୍ସ ଟିମ ସୋମବାର ଖୋଲିଛି । ସେଥିରୁ ୭୦୩ ଗ୍ରାମ୍ ସୁନା ଠାବ ହୋଇଛି । ଏଯାଏଁ ମୋଟ୍ ୧୨୫୫ ଗ୍ରାମ୍ ସୁନା ମିଳିଛି । କୁବେର ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ସୁନାର ଖଣି । ବର୍ତ୍ତମାନ ସୁଦ୍ଧା ବାବୁଙ୍କ ଘରୁ ବାହାରିଲାଣି ୧ କେଜିରୁ ଅଧିକ ଓଜନର ସୁନା । ବେହେରାଙ୍କ ସରକାରୀ ବାସଗୃହରେ ଚଢ଼ାଉ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ କାଗଜପତ୍ର ଜବତ କରିଛି । ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି ଓଡିଶା ଭିଜିଲାନ୍ସ ଟିମ । ବ୍ୟାଙ୍କ ଲକର ଏବଂ ଘରୁ ସମୁଦାୟ ୧.୨୫୫ କିଲୋଗ୍ରାମ ସୁନା ଜବତ କରାଯାଇଛି । ବିପୁଳ ପରିମାଣର ହିସାବ ବିହୀନ ସମ୍ପତ୍ତି ଠାବ ହେବା ପରେ ଏବଂ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ ଗତ ରବିବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଶ୍ରୀ ବେହେରାଙ୍କ ନାମରେ ୫ଟି ବହୁମହଲା ବିଶିଷ୍ଟ କୋଠା ରହିଛି । ଯାହାର ମୋଟ ବିଲ୍ଟ-ଅପ୍ ଏରିଆ ୨୦,୦୦୦ ବର୍ଗ ଫୁଟରୁ ଅଧିକ ହେବ । ଏହା ମଧ୍ୟରୁ କେବଳ ଭୁବନେଶ୍ୱରରେ ୪ଟି ବିଳାସଂପୂର୍ଣ୍ଣ କୋଠା ରହିଛି । ଏହା ସହିତ ତାଙ୍କର ୧୪ଟି ମୂଲ୍ୟବାନ ପ୍ଲଟ, ୨.୦୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଅର୍ଥ ଏବଂ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି । ତେବେ ସୋମବାର ସୁଦ୍ଧା ତଦନ୍ତ ମଧ୍ୟ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି । ତଦନ୍ତ ଶେଷ ପରେ ଆହୁରି ସମ୍ପତ୍ତି ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି । ଏହି ବଡ଼ଧରଣର ଚଢ଼ାଉରେ ଭିଜିଲାନ୍ସ ପୁଲିସର ୨ ଜଣ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୬ ଜଣ ଇନିସପେକ୍ଟର ଏବଂ ଅନ୍ୟ ଭିଜିଲାନ୍ସ ପୁଲିସ ସାମିଲ ଅଛନ୍ତି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରୀ ରହିଛି ।