
- ଓମକାର ମହାନ୍ତି, ଯୋଗେଶ୍ୱର ବାଗ ଓ ସିଦ୍ଧେଶ୍ୱର ବାଗଙ୍କୁ ମିଳିଲା ସୁଯୋଗ
ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ଓଡ଼ିଶା ପୁରୁଷ କ୍ରିକେଟ୍ ଦଳରେ ବଲାଙ୍ଗିର ଜିଲ୍ଲାର ତିନି ଜଣ ପ୍ରତିଭାବାନ ଯୁବ କ୍ରିକେଟର ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେମାନେ ହେଲେ ଓମକାର ମହାନ୍ତି, ଯୋଗେଶ୍ୱର ବାଗ ଓ ସିଦ୍ଧେଶ୍ୱର ବାଗ । ବଲାଙ୍ଗିରର ଓମକାର ମହାନ୍ତି ଆସନ୍ତା ନଭେମ୍ବର ୧୪ ତାରିଖରୁ କୋଲକାତାଠାରେ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି । ଏହି ପ୍ରତିଯୋଗିତା ନଭେମ୍ବର ୧୪ରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ । ସେହିପରି ବଲାଙ୍ଗିରର ଯୁବ ଖେଳାଳି ଯୋଗେଶ୍ୱର ବାଗ ଓଡ଼ିଶା ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ୍ ଦଳରେ ସ୍ଥାନ ପାଇ କୁଚ୍ ବିହାର ଟ୍ରଫିର ଦୁଇଟି ମ୍ୟାଚ୍ ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ନଭେମ୍ବର ୨୬ ତାରିଖରେ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମଠାରେ ଗୋଆ ବିପକ୍ଷରେ ଓଡ଼ିଶା ଦଳ ଖେଳିବାକୁ ଥିବାବେଳେ ଡିସେମ୍ବର ୩ ତାରିଖରେ ବରଗଡ଼ର ବିକାଶ ଷ୍ଟାଡିୟମଠାରେ ପଶ୍ଚିମବଙ୍ଗ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ । ଅନ୍ୟପକ୍ଷରେ ଯୋଗେଶ୍ୱର ବାଗଙ୍କ ସାନଭାଇ ତଥା ବଲାଙ୍ଗିର ଜିଲ୍ଲାର ଆଉ ଜଣେ ଉଦୀୟମାନ କ୍ରିକେଟର ସିଦ୍ଧେଶ୍ୱର ବାଗ ମଧ୍ୟ ଓଡ଼ିଶା ୧୬ ବର୍ଷରୁ କମ୍ ପୁରୁଷ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି । ସେ ଆସନ୍ତା ନଭେମ୍ବର ୧୪ ତାରିଖରୁ କର୍ଣ୍ଣାଟକଠାରେ ଆରମ୍ଭ ହେବାକୁ ଥିବା ବିଜୟ ମର୍ଚ୍ଚାଣ୍ଟ ଟ୍ରଫିର ଦୁଇଟି ମ୍ୟାଚ୍ ପାଇଁ ମନୋନୀତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାର ତିନି ଜଣ ଖେଳାଳି ଏକାସାଙ୍ଗରେ ଓଡ଼ିଶାର ବିଭିନ୍ନ ବୟସ ବର୍ଗ ଓ ସିନିୟର ପୁରୁଷ କ୍ରିକେଟ୍ ଦଳରେ ସ୍ଥାନ ପାଇବା ଖବର ଜିଲ୍ଲାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରୀ ସୃଷ୍ଟି କରିଛି । ଏହି ଗୌରବମୟ ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ତିନି ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ କ୍ରୀଡ଼ା ଜୀବନରେ ଅଧିକ ସଫଳତା କାମନା କରାଯାଇଛି । ବଲାଙ୍ଗିର ମାଟିର ଏହି ତିନି ପ୍ରତିଭା ଆଗାମୀ ଦିନରେ ଜାତୀୟ ସ୍ତରରେ ଜିଲ୍ଲା ଓ ଓଡ଼ିଶାର ଗୌରବ ବଢ଼ାନ୍ତୁ ।