
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ନିଟ୍ସନ ମଡେଲିଂ ଏକାଡେମୀ ତରଫରୁ ଆସନ୍ତା ୧୫ ତାରିଖ ଦିନ ସନ୍ଧ୍ୟା ୫ ଟା ସମୟରେ ପ୍ଲୁଟନ ମଲ ଠାରେ ଶିଶୁ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏସମ୍ପର୍କରେ ନିଟସନ୍ର କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ନିତାଞ୍ଜଳୀ ପରିଡା ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ୪ ରୁ ୧୨ ବର୍ଷ ମଧ୍ୟରେ ଶିଶୁ ମାନଙ୍କ ମଧ୍ୟରେ ମଡେଲିଂ ପ୍ରତି ଥିବା ପ୍ରତିବଦ୍ଧତାକୁ ଲୋକ ଲୋଚନରେ ଆଣିବା ପାଇଁ ଏହା ପ୍ରୟାସ ମାତ୍ର । ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ଓ ନିଜର ସୌନ୍ଦର୍ଯ୍ୟ ପ୍ରତି ସଚେତନ କରାଇବା ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ । ତିନି ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଶ୍ରଦ୍ଧା ପ୍ରଧାନ, ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମାଜସେବୀ କମଲ ଅଗ୍ରୱାଲ ପ୍ରମୁଖ ଯୋଗଦେବେ । ସେହିପରି ବିଚାରକ ଭାବେ ସୁମିତ ରାଜପୁତ, ବୈଷ୍ଣବୀ ପାଣିଗ୍ରାହୀ, ପ୍ରିୟା ସ୍ୱାଇଁ, ପ୍ରିନ୍ସ ଚାରୁୱା ପ୍ରମୁଖ ଦାୟିତ୍ଵ ତୁଲାଇବେ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଲୀନା ରାଉତ, ନମିତା ରାଉତ, ଧନମାୟା ବିଷ୍ଟ, ସୁଚିତ ରଞ୍ଜନ ପରିଡ଼ା, ପ୍ରୀତମ ସାମଲ, ମଧୁ ଜ୍ୟୋତ୍ସ୍ନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।