
- ଅର୍ଜୁନ ମୁର୍ମୁଙ୍କ ଆନ୍ଦୋଳନ ପରେ କାର୍ଯ୍ୟକ୍ଷମ ହେଲା ପିଆରଏମ ମେଡିକାଲ୍
- ମୁଖ୍ୟମନ୍ତ୍ରୀଙ୍କୁ ମାରିସାର କୃତଜ୍ଞତା
ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶାର ସର୍ବାଙ୍ଗୀନ ଉନ୍ନତିର ଆବାହକ, କର୍ଣ୍ଣଧାର ମୁଖ୍ୟମନ୍ତ୍ରୀ । ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ରଙ୍ଗାମାଟିଆ ସ୍ଥିତ ନୂତନ ଶିକ୍ଷାଦାନ ହସ୍ପିଟାଲକୁ ସୁଗମ ସ୍ଥାନାନ୍ତର ତଥା ସେଠାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ବ୍ୟବସ୍ଥାର ଆନୁଷ୍ଠାନିକ ଭାବେ ଲୋକର୍ପଣ କରିଥିବାରୁ ବିଭିନ୍ନ ମହଲରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏନେଇ ସ୍ଥାନୀୟ ତକତପୁର ସ୍ଥିତ ହୋଲି ପ୍ୟାଲେସ ସମ୍ମିଳନୀ କକ୍ଷରେ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ସଭାପତିତ୍ଵରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି । ପ୍ରକାଶ ଥାଉକି ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ପିଆରଏମ ସ୍ଥାନାନ୍ତର ଏବଂ ସେଠାରେ କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ଅନେକଥର ଆନ୍ଦୋଳନ କରାଯାଇଥିଲା । ଦୀର୍ଘଦିନର ଆନ୍ଦୋଳନ ସଫଳ ହୋଇଥିବାରୁ ଆଜି ସମଗ୍ର ଜିଲ୍ଲା ତଥା ବାରିପଦା ଅଞ୍ଚଳରେ ଖୁସିର ଲହରି ଖେଳିଯିବା ସହ ମନରେ ନୂତନ ଆଶା ସଂଚାର କରିଛି । ଏହାଦ୍ୱାରା କେବଳ ମୟୂରଭଞ୍ଜ ନୁହେଁ ବରଂ ପଡୋଶୀ ବାଲେଶ୍ଵର, କେନ୍ଦୁଝର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟର ରୋଗୀ ମଧ୍ୟ ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା ପାଇପାରିବେ । କିନ୍ତୁ ଅତ୍ୟନ୍ତ ଦୁଃଖର ସହ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ସୃଷ୍ଟି “ଅଲଚିକି” ଲିପି ମେଡିକାଲ କଲେଜ ମୁଖ୍ୟ ଫାଟକର ନାମ ଫଳକରେ ସ୍ଥାନ ପାଇନାହିଁ । ପଣ୍ଡିତ ରଘୁନାଥ ମୁର୍ମୁ ମୟୂରଭଞ୍ଜ ମାଟିର ଜନ୍ମିତ ସନ୍ତାନ । ତାଙ୍କରି ଦ୍ୱାରା ଅଲଚିକି ଲିପି ସୃଷ୍ଟି ତାଙ୍କର ନିଜସ୍ଵ ମାତୃଭୂମିରେ ଓଡ଼ିଶା ସରକାର ଅଲଚିକି ଲିପିକୁ ସ୍ୱୀକୃତି ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଏହା ଅଲଚିକି ଲିପିର ସ୍ରଷ୍ଟା ଆଦିବାସୀ ମହାପୁରୁଷ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସିଧାସଳଖ ଅସମ୍ମାନ କରାଯାଇଛି । ତତ୍ ସହିତ ମେଡିକାଲ କଲେଜ ପରିସରରେ ନିର୍ମାଣ କରାଯାଇଥିବା ପ୍ରତିମୂର୍ତ୍ତି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ନୁହେଁ । ଏହାକୁ ନେଇ ପୂର୍ବରୁ ମାରିସା ଏବଂ ମୁଖ୍ୟ ଭାବରେ ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ୍ ଟ୍ରଷ୍ଟ ପକ୍ଷରୁ ବାରମ୍ଵାର ଦାବି କରାଯାଇଥିଲେ ମଧ୍ୟ ପ୍ରତିମୂର୍ତ୍ତିକୁ ବଦଳାଯାଇ ନାହିଁ । ତେଣୁ ମେଡିକାଲ ସମ୍ମୁଖରେ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ପ୍ରତିସ୍ଥାପନ କରାଯିବା ସହ ମୁଖ୍ୟ ଫାଟକର ନାମଫଳକରେ ଉଭୟ ଇଂରାଜୀ ଏବଂ ଓଡିଆ ସମେତ ଅଲଚିକିରେ ଲେଖାଯିବାକୁ ମାରିସା ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଏହି କାର୍ଯ୍ଯକ୍ରମରେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ସମେତ ସୁନ୍ଦର ମୋହନ ହେମ୍ବ୍ରମ, ବ୍ରଜ ଗୋପାଲ ନାଏକ, ଲିଲି ମଣୀ ମାର୍ଣ୍ଡି, ମିନତୀ ବାସ୍କେ, ହାଁସୁ ସିଂ, ରବିନ୍ଦ୍ର ମାର୍ଣ୍ଡି, ବିକ୍ରମ ସୋରେନ, ସରୋଜ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।