om academy

ଶୁଲିଆ ପୀଠରେ ନରସିଂହ

  • ଶୁଲିଆ ଯାତ୍ର ଅଞ୍ଚଳରେ ଏକତା, ଶାନ୍ତି ମୈତ୍ରୀ ଓ ବିକାଶ ଆଣିବାରେ ସହାୟକ ହେଉଛି – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀଙ୍କ ପରଂପରା, ବିଶ୍ୱାସର ଏହି ଶୁଲିଆ ପୀଠ କେବଳ ଆଦିବାସୀଙ୍କ ପୀଠ ହୋଇ ରହିନାହିଁ । ଏହି ପୀଠର ମାହାତ୍ମ୍ୟ ଯୋଗୁଁ ଆଜି ହଜାର ହଜାର ସଂଖ୍ୟାରେ ଅଣ ଆଦିବାସୀମାନେ ମଧ୍ୟ ଏଠାରେ ଏକତ୍ରିତ ହୋଇ ଶୁଲିଆ ବାବାଙ୍କ ପ୍ରତି ତାଙ୍କ ଆସ୍ଥା ଓ ବିଶ୍ୱାସ ଦେଖାଉଛନ୍ତି । ଏହି ଯାତ୍ରା ସହ କିଛି ବର୍ଷ ପୂର୍ବରୁ ଶୁଲିଆ ମହୋତ୍ସବ ମଧ୍ୟ ଏଠାରେ ପାଳନ ହେଉଛି । ଏହା ମାଧ୍ୟମରେ ଏଠାରେ ବିପୁଳ ଜନ ସମାଗମ ହେଉଛି । ଏଠିକାର ଆଦିବାସୀମାନେ ଏଠିକାର ଜଙ୍ଗଲ, ଜଳାଶୟ ଓ ପଶୁପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି । ମହୋତ୍ସବ ମାଧ୍ୟମରେ ଲୋକେ ଏକତ୍ରିତ ହୋଇ ଏ ଅଂଚଳର ଏକତା, ଶାନ୍ତି, ମୈତ୍ରିକୁ ଆହୁରି ସୁଦୃଢ କରୁଛନ୍ତି । ଫଳରେ ଏ ଅଂଚଳ ଆଗାମୀ ଦିନରେ ବିକାଶ ଦିଗକୁ ନିଶ୍ଚିତ ଭାବରେ ଆଗେଇବ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଖଇରଗୁଡାର ପବିତ୍ର ଶୁଲିଆ ପୀଠରେ ଶୁଲିଆ ବାବାଙ୍କ ଦର୍ଶନ କରି ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କିଛି ବର୍ଷ ପୂର୍ବରୁ ରାଜ୍ୟର ଉଚ୍ଚତମ ନ୍ୟାୟାଳୟ ବନ୍ଦ ସପକ୍ଷରେ ନିର୍ଦ୍ଦେଶନାମା ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହଜାର ହଜାର ବର୍ଷ ପୂର୍ବରୁ ଆଦିବାସୀଙ୍କ ଦ୍ୱାରା ଚାଲିଥିବା ବଳି ପରଂପରାକୁ କୌଣସି ବି ଆଇନ ବଳରେ ବନ୍ଦ କରାଯାଇ ପାରିବନାହିଁ ବୋଲି ରାୟ ଦେଇଥିଲେ । କାରଣ ଆଜି ବି ଆଦିବାସୀ ତଥା ଅଣ ଆଦିବାସୀଙ୍କ ଆସ୍ଥା ଓ ଦୃଢ ବିଶ୍ୱାସ ଯୋଗୁଁ ଏହି ପୀଠକୁ ନିଜର ମାନସିକ ପୂରଣ ପାଇଁ ଲକ୍ଷ ଲକ୍ଷ ଲୋକ ଦର୍ଶନ ପାଇଁ ଆସିଥାନ୍ତି । ଆଜି ଶୁଲିଆ ପୀଠରେ ପ୍ରାତଃ ସମୟରୁ ହଜାର ହଜାର ସଂଖ୍ୟାରେ ଲୋକେ ଆସି ନିଜର ମାନସିକ ପୂରଣ ପାଇଁ ପଶୁ ବଳି ଦେଇଛନ୍ତି । ତା’ ସହ ଏଠାରେ ମହୋତ୍ସବ ମାଧ୍ୟମରେ ରାବଣ ଦରବାର ଏବଂ ମନୋରଂଜନ ପାଇଁ ମୀନା ବଜାର ଯୋଗୁଁ ସକାଳୁ ରାତି ପର୍ଯ୍ୟନ୍ତ ପ୍ରବଳ ଜନ ସମାଗମ ହେଉଛି । ଏହି ଅଂଚଳରେ ଥିବା ଜଳାଶୟର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ପର୍ଯ୍ୟଟକମାନେ ଯେମିତି ବର୍ଷତମାମ ଆକର୍ଷିତ ହୋଇ ମନୋରଂଜନ ପାଇଁ ଏଠାକୁ ଆସିବେ ତାର ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.

one + seven =