jayashree

ପଏଁରୀ ଅନୁଷ୍ଠାନ ପକ୍ଷରୁ “ଡାଲଖାଇ” ଲୋକନୃତ୍ୟ କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା ଓ ସଂସ୍କୃତିର ଅନନ୍ୟ ପରିଚୟ ଡାଲଖାଇ ଲୋକନୃତ୍ୟର ସଂରକ୍ଷଣ, ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସୋନପୁରସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଏଁରୀ ଅନୁଷ୍ଠାନ ପକ୍ଷରୁ ଏକ ଡାଲଖାଇ ଲୋକନୃତ୍ୟ କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍କୁଲର ବରିଷ୍ଠ ଶିକ୍ଷକ ବନମାଳୀ ପଧାନଙ୍କ ସଭାପତିତ୍ୱରେ ଏବଂ ଲୋକକଳା ଗବେଷକ ତଥା ନୃତ୍ୟ ନିର୍ଦ୍ଦେଶକ ଗୁରୁ ଚୌଧୁରୀ ବିଭାରଙ୍କ ନିର୍ଦ୍ଦେଶନା କର୍ମଶାଳାରେ ଛାତ୍ରୀମାନଙ୍କୁ ଡାଲଖାଇ ନୃତ୍ୟର ଐତିହ୍ୟ, ପରମ୍ପରା, ନୃତ୍ୟଶୈଳୀ, ତାଳ, ଲୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ସମ୍ପର୍କରେ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦିଆଯାଇଥିଲା । ଲୋକନୃତ୍ୟ ମାଧ୍ୟମରେ ନିଜ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା । ପ୍ରଶିକ୍ଷିକା ଶ୍ରୀମତୀ କଲ୍ୟାଣୀ ପଧାନ ଏବଂ ବାଦ୍ୟ ଶିଳ୍ପୀ ରାଘବ ସୁନାଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ନୃତ୍ୟର ବିଭିନ୍ନ କୌଶଳ ଶିକ୍ଷା ଦିଆଯିବା ସହିତ ଲୋକକଳା ପ୍ରତି ଆଗ୍ରହ ଓ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ପଏଁରୀ ଅନୁଷ୍ଠାନର ଏଭଳି ଉଦ୍ୟମକୁ କଳାପ୍ରେମୀ ଓ ସଂସ୍କୃତିପ୍ରେମୀ ମହଲରେ ପ୍ରଶଂସା କରାଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଗୌରବମୟ ଡାଲଖାଇ ଲୋକନୃତ୍ୟର ପରମ୍ପରା ଆହୁରି ସମୃଦ୍ଧ ହେବ ବୋଲି ଆଶା ପ୍ରକାଶ ପାଇଛି । ସ୍କୁଲର ଶିକ୍ଷକ ଚିତ୍ରସେନ କଲତା ଢୋଲ ବଜାଇ ଛାତ୍ରୀ ମାନଂକୁ ଉତ୍ସାହିତ କରିଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଶେଷରେ ଗିରିଶ ଚନ୍ଦ୍ର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.