
- ସହରର ୨୩୬ଟି ବୁଥ୍ରେ ୫ ବର୍ଷରୁ କମ୍ ଶିଶୁଙ୍କୁ ଦିଆଯିବ ଦୁଇ ବୁନ୍ଦା ପୋଲିଓ
ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ଦିନ ରାଉରକେଲା ସହରର ୨୩୬ଟି ବୁଥ୍ରେ ୦-୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ପୋଲିଓ ପ୍ରତିଷେଧକ ଔଷଧର ଦୁଇ ବୁନ୍ଦା ପ୍ରଦାନ କରାଯିବ । ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହ।କୁ ନେଇ ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଟି ହେଲ୍ଥ ସୋସାଇଟି, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ(NUHM), ରାଉରକେଲା ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିଲା । ବୈଠକରେ ପୋଲିଓ ବୁନ୍ଦାକରଣ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସମସ୍ତ ଶିଶୁଙ୍କୁ ଏହାର ପରିସରଭୁକ୍ତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପୋଲିଓ ଦିବସରେ କୌଣସି ଶିଶୁ ଯେପରି ଟିକାକରଣରୁ ବଞ୍ଚିତ ନ ରୁହନ୍ତି, ସେଥିପାଇଁ ୨୩ ଓ ୨୪ ନଭେମ୍ବର ତାରିଖରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ନ ନେଇଥିବା ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି । ରାଉରକେଲା ସହରରେ ଏହି ଅଭିଯାନ ପାଇଁ ୭ଟି ମୋବାଇଲ୍ ଟିମ୍ ଓ ୨୫ଟି ଟ୍ରାଞ୍ଜିଟ୍ ଟିମ୍ ନିୟୋଜିତ ହେବେ । ଏହାସହ ୨୬ ଜଣ ସୁପରଭାଇଜରଙ୍କ ତତ୍ତ୍ୱାବଧାନରେ ମୋଟ ୫୬୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଏହି ଅଭିଯାନରେ ନିୟୋଜିତ ହୋଇଛନ୍ତି । ବୈଠକରେ ବୁଥ୍ ଭାବେ ଚିହ୍ନଟ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ପୋଲିଓ ବୁନ୍ଦା ପ୍ରଦାନ ଏବଂ ଶିଶୁମାନଙ୍କୁ ବୁଥ୍କୁ ଆଣିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଥିଲା । ଏହାସହ ଅଭିଯାନର ସୁଚାରୁ ପରିଚାଳନା ନିମନ୍ତେ ଆବଶ୍ୟକ ଯାନବାହନ ଯୋଗାଇଦେବାକୁ ଆର୍ଟିଓଙ୍କୁ ଅନୁରୋଧ କରାଯାଇଥିଲା । ପୋଲିଓ ବୁନ୍ଦାକରଣ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ବିଭିନ୍ନ ଆପାର୍ଟମେଣ୍ଟ, ଔଷଧ ଦୋକାନ, ଅଳିଆ ଆବର୍ଜନା ସଂଗ୍ରହକାରୀ ଗାଡ଼ି ଏବଂ ଗଣମାଧ୍ୟମ ଜରିଆରେ ଜନସଚେତନତା ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ରୋଟାରୀ କ୍ଲବ୍ ଓ ଲାୟନ୍ସ କ୍ଲବ୍ର ସହଯୋଗ ନେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ୨୨ ନଭେମ୍ବରରେ ରାଜ୍ୟର ୧୭ଟି ଜିଲ୍ଲା ଓ ୫ଟି ମହାନଗର ନିଗମ ଅଞ୍ଚଳରେ ଏହି ପୋଲିଓ ବୁନ୍ଦାକରଣ କାର୍ଯ୍ୟକ୍ରମ କରାଯିବ । ବୈଠକରେ ଏଡିୟୁପିଏଚ୍ଓ ତଥା ଆର୍ଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁନୀଲ ଜଷ୍ଟିନ୍ ଭେଙ୍ଗ୍ରା, ଆଇଜିଏଚ୍ର ଡା. ଅର୍ଚ୍ଚନା, ଆର୍ଭିସିସିଏମ୍ ସୁନ୍ଦରଗଡ଼ର ସତ୍ୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସିପିଏମ୍ ଗୁରୁଦତ୍ତ ପୁରୋହିତ ଓ ଏପିଏମ୍ ଇତିଶ୍ରୀ ଦାସ, ଶକ୍ତି ମହାପାତ୍ର, ସିଡିଏମ୍ ରାଜେଶ ମେହେର ବୈଠକର ସଂଯୋଜନା କରିଥିଲେ । ଏଥିରେ ବିଭିନ୍ନ ୟୁପିଏଚ୍ସିର ମେଡିକାଲ ଅଫିସର, ରୋଟାରୀ କ୍ଲବ୍, ଲାୟନ୍ସ କ୍ଲବ୍ର ପ୍ରତିନିଧି, ଆଇସିଡିଏସ୍ ଅଧିକାରୀ ଏବଂ ଆଇଜିଏଚ୍ର ଅଧିକାରୀମାନେ ଯୋଗ ଦେଇଥିଲେ ।