om academy

ହକି ବିଶ୍ୱକପ୍‌କୁ ଗଞ୍ଜାମ ଜିଲ୍ଲାସ୍ତରରେ ଭବ୍ୟ ସ୍ୱାଗତ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ଚଳିତ ମାସ ୨୮ ତାରିଖରେ କନ୍ଧମାଳ ଜିଲ୍ଲାରୁ ଆସୁଥିବା ହକି ବିଶ୍ୱକପ୍‌ର ସମ୍ମାନାର୍ଥେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାର ଦୁ ର୍ଗାପ୍ରସାଦ ଠାରେ ଉକ୍ତ ହକି ବିଶ୍ୱକପ୍‌କୁ ସାଦରରେ ଜିଲ୍ଲା ପ୍ରଶାସନ ଦ୍ୱାରା ମହାଆଡମ୍ବର ସହକାରେ ସ୍ୱାଗତ କରାଯିବ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜୁମ୍‌ରେ ଆଭାସୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବଗତ କରାଇଥିଲେ ଯେ, ହକି ବିଶ୍ୱକପ୍ ଆମ ଗର୍ବ ଓ ଗୌରବ । ଏଣୁ ଏହି କପ୍ ଜିଲ୍ଲା ମଧ୍ୟ ଦେଇ ଗତି କରିବା ସମୟରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଜନ ପ୍ରତିନିଧି ଓ ଜନ ସାଧାରଣଙ୍କ ମିଳିତ ଉଦ୍ୟମରେ ଏହାକୁ ସ୍ୱାଗତ କରାଯିବ । ସେଥିନେଇ ଯୋଜନା ପ୍ରସ୍ତୁତ କରିବାକୁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଦୁର୍ଗା ପ୍ରସାଦଠାରେ ଏହି ଟ୍ରଫିକୁ ସ୍ୱାଗତ ଜଣାଇ ଭଞ୍ଜନଗର ମଧ୍ୟ ଦେଇ ଆସ୍କାଠାରେ ପହଞ୍ଚିବା ପରେ ସ୍ୱାଗତ କରିବା ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ପରେ ପରେ ହିଞ୍ଜିଳି ମିନି ଷ୍ଟାଡିୟମ୍‌ଠାରେ କପ୍‌ଟିକୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ବର୍ଦ୍ଧନା ଦିଆଯିବ । ସ୍ଥାନୀୟ କ୍ରୀଡାବିତ୍‌ମାନଙ୍କୁ ସମ୍ମାନୀତ କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିଠାରୁ ତାରାତାରିଣୀ ପୀଠରେ ପହଞ୍ଚିବ । ମା’ ତାରା ତାରିଣୀଙ୍କ ଆଶୀର୍ବାଦ ଲାଭ କରି ପୁନର୍ବାର ଏହା ଛତ୍ରପୁର ଖେଳ ପଡିଆ ଠାରେ ପହଞ୍ଚିବ । ଛତ୍ରପୁର ଖେଳ ପଡିଆଠାରେ ହକି ଓ ଭଲିବଲ୍ ମ୍ୟାଚ୍ କ୍ରୀଡାବିତ୍‌ମାନଙ୍କ ଦ୍ୱାରା ଆୟୋଜିତ ହେବ ଓ ସେମାନଙ୍କୁ ସମ୍ମାନୀତ କରାଯିବ । ସେହିଠାରୁ ବ୍ରହ୍ମପୁର ଗସ୍ତରେ ଆସି ରାତ୍ର ରହଣୀ ହେବ । ୨୯ ତାରିଖ ପୂର୍ବାହ୍ନରେ ଏକ ବିଶାଳ ରାଲି ମଧ୍ୟରେ ବ୍ରହ୍ମପୁର ସହର ପରିକ୍ରମା ପୂର୍ବକ ରାମ ଲିଙ୍ଗମ୍ ପୋଖରୀଠାରେ ପହଞ୍ଚିବ । ରାମ ଲିଙ୍ଗମ୍ ପୋଖରୀଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହିତ କ୍ରୀଡାବିତ୍‌ମାନଙ୍କୁ ସମ୍ମାନୀତ କରାଯିବ ଏବଂ ସେହିଠାରୁ ତପ୍ତପାଣି ଗସ୍ତକରି ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକରେ ଜନ ସାଧାରଣ କିଭଳି ବିପୁଳ ପରିମାଣରେ ଅନ୍ତର୍ଭୁକ୍ତ ହେବେ ତାର ପ୍ରସ୍ତୁତି କରିବାକୁ କୁହାଯାଇଛି । ନିରାପତ୍ତାର ସହିତ ହକି ବିଶ୍ୱକପ୍‌ଟି ଯେପରି ଜିଲ୍ଲାରେ ପରିଭ୍ରମଣ କରିପାରିବ ସେଥି ସକାଶେ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ କୁହାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ କୀର୍ତ୍ତିଭାସନ୍ ଭି ଏହାକୁ କିପରି ବ୍ୟାପକ ଭାବେ ପ୍ରଚାର ପ୍ରସାର, ସାଂସ୍କୃତିକ ଦଳଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ ଇତ୍ୟାଦି ସମ୍ପର୍କରେ ଜଣାଇଥିଲେ । ବ୍ରହ୍ମପୁର ମନହାନଗର ନିଗମ କମିଶନର୍ ଜେ. ସୋନାଲ୍ ରାମଲିଙ୍ଗମ୍ ଟ୍ୟାଙ୍କଠାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇଥିଲେ । ଜୁମ୍‌ର ଆଭାସୀ ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

eleven − 7 =