pakka

ବିନା ସୂଚନା ଫଳକରେ ଚାଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିକୋଟି ଟଂକାର କାମ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ଉନ୍ନୟନମୂଳକ କାମ, ତା’ ପୁଣି ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା-କେଉଁଟିପାଲି ରାସ୍ତାରେ । ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଏହି ରାସ୍ତାରେ ଏକ ସେତୁ କାର୍ଯ୍ୟ ନିର୍ମାଣ ଚାଲିଛି । ବିଭାଗୀୟ ମନ୍ତ୍ରୀ ଓ ଯନ୍ତ୍ରୀଙ୍କ ଉଦ୍‌ଘାଟନର ଦୀର୍ଘ ଦିନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କାମର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ସୂଚନା ଫଳକ ତିଆରି ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ବନ୍ଧୀୟ କୌଣସି ତଥ୍ୟ ଲେଖାଯାଇ ନାହିଁ । ଫଳରେ ସ୍ଥାନୀୟ ଲୋକେ ଏହି ନିର୍ମାଣ କାର୍ଯ୍ୟ ବାବଦରେ କିଛି ଜାଣିପାରୁ ନ ଥିବା ଅଭିଯୋଗ ହେଉଛି । ରାତିଦିନ ଅନବରତ ଭାବେ ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗୀୟ କୌଣସି ଅଧିକାରୀ କିନ୍ତୁ ଉପସ୍ଥିତ ରହୁନାହାନ୍ତି । ଲୋଇସିଂହା ବ୍ଲକରେ ନିଜ ମର୍ଜି ମୁତାବକ ଗ୍ରାମ୍ୟ ଉନ୍ନୟନ ବିଭାଗ କାମ କରି ଚାଲିଥିବା ଜଣାଯାଇଛି । ସେହିପରି ଉକ୍ତ ନାଳରେ ଠିକାଦାର ଜଣକ ସ୍ଥାନୀୟ ବାଲି ସହିତ ନିମ୍ନମାନର ସାମଗ୍ରୀ ବ୍ୟବହାର କରିବା ସହିତ ଅଟକଳ ହିସାବରେ କାମ ହେଉନଥିବା ଓ ନିମ୍ନମାନର କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏ ବାବଦରେ ଲୋଇସିଂହା ସ୍ଥିତ ଗ୍ରାମ୍ୟ ନିର୍ମାଣ ଉପବିଭାଜନର କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ନ ଉଠାଇବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେହିପରି ଲୋଇସିଂହା ବ୍ଲକ ହୀରାପୁର କେଉଁଟିପାଲି ଆର୍‌ଡି ରାସ୍ତା ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗର ଭାତ ହାଣ୍ଡି । ଉକ୍ତ ରାସ୍ତାରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କାରେ ରାସ୍ତା ମରାମତି ପାଇଁ ଖର୍ଚ୍ଚ ହେଉଥିଲେ ମଧ୍ୟ ରାସ୍ତାର ମାନ ଯଥା ପୂର୍ବମ ତଥା ପରଂ । ସେହିପରି ଉକ୍ତ ରାସ୍ତାରେ ମାତ୍ର ୫୦ ଫୁଟ୍‌ ଓସାର ଥିବା ବାଗଡୁଲ ସାମ୍ପ୍‌ଖାଇ ନାଲାର ମରାମତି ପାଇଁ ଗୋଟିଏ ବର୍ଷ ରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବର୍ଷେ ନ ପୁରୁଣୁ ତାହାର ଅବସ୍ଥା ଶୋଚନୀୟ ହୋଇପଡିଛି । ଲୋଇସିଂହା ବ୍ଲକରେ ଗତ ପାଞ୍ଚବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସକାଶେ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

seventeen − sixteen =