csstore

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ; ଔଷଧ ଓ ଖାଦ୍ୟ ସୁରକ୍ଷା ଆଇନରେ କ୍ଷୁଦ୍ର ଅପରାଧ ବ୍ୟବସ୍ଥା ସରଳୀକୃତ : ବ୍ୟବସାୟ ସୁଗମତା ବୃଦ୍ଧି ସହ ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ‘ଜନ ବିଶ୍ୱାସ ଅଧିନିୟମ, ୨୦୨୬’ ଅଧୀନରେ ‘ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଆଇନ, ୧୯୪୦’ ଏବଂ ‘ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬’ ସହ ଜଡ଼ିତ କେତେକ ପ୍ରମୁଖ ସଂସ୍କାରକୁ କାର୍ଯ୍ୟକାରୀ କରିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବ୍ୟବସାୟ ପାଇଁ ନିୟମ ଅନୁପାଳନର ବୋଝକୁ ହ୍ରାସ କରିବା ଏବଂ ଜନସ୍ୱାସ୍ଥ୍ୟ ସୁରକ୍ଷା ସହିତ କୌଣସି ବୁଝାମଣା ନକରି ଉପଯୁକ୍ତ ନିୟାମକ ପ୍ରବର୍ତ୍ତନ ସୁନିଶ୍ଚିତ କରିବା।
ଏହି ସଂଶୋଧନଗୁଡ଼ିକ ମାଧ୍ୟମରେ କେତେକ ସାଧାରଣ ତଥା ବୈଷୟିକ ନିୟମ ଉଲ୍ଲଂଘନକୁ ଅପରାଧମୁକ୍ତ କରିବା ଏବଂ ଅପରାଧିକ ମାମଲା ବଦଳରେ ପ୍ରଶାସନିକ ଜରିମାନା ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ବ୍ୟବସାୟ କରିବା ପ୍ରକ୍ରିୟା ସହଜ ହେବା ସହ ନିୟାମକ ଦକ୍ଷତା ବୃଦ୍ଧି ପାଇବ। ତେବେ ଜନସ୍ୱାସ୍ଥ୍ୟ ଏବଂ ଗ୍ରାହକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧଗୁଡ଼ିକ ବିରୋଧରେ କଠୋର ଆଇନଗତ ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିଛି।
ଏହି ସଂସ୍କାରର ଏକ ଅଂଶ ସ୍ୱରୂପ, ‘ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଆଇନ, ୧୯୪୦’ର ଧାରା ୨୯କୁ ଉଠାଇ ଦିଆଯାଇଛି। ଏହି ଧାରା ଅନୁଯାୟୀ, କୌଣସି ଔଷଧ କିମ୍ବା ପ୍ରସାଧନ ସାମଗ୍ରୀର ବିଜ୍ଞାପନ ପାଇଁ ସରକାରୀ ବିଶ୍ଳେଷକଙ୍କ ରିପୋର୍ଟ ବ୍ୟବହାର କଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଥିଲା।
ଏହା ସହିତ, କମ୍ ବିପଦପୂର୍ଣ୍ଣ ପ୍ରସାଧନ ସାମଗ୍ରୀର ଉତ୍ପାଦନ କିମ୍ବା ବିକ୍ରି ସହ ଜଡ଼ିତ ନିୟମ ଉଲ୍ଲଂଘନକୁ ଏକ ପ୍ରଶାସନିକ ଜରିମାନା ବ୍ୟବସ୍ଥା ଅଧୀନକୁ ଅଣାଯାଇଛି। ଏଥିରେ ସେହିଭଳି ମାମଲାଗୁଡ଼ିକ ଅନ୍ତର୍ଭୁକ୍ତ, ଯେଉଁଠାରେ କୌଣସି ପ୍ରସାଧନ ସାମଗ୍ରୀ ସାଧାରଣ ଗୁଣବତ୍ତା ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥାଏ କିମ୍ବା ସେଥିରେ ଲେବଲିଂ ସମ୍ବନ୍ଧୀୟ କିଛି ତ୍ରୁଟି ଓ ଅଭାବ ଥାଏ। ତେବେ, ସିଧାସଳଖ ଗ୍ରାହକଙ୍କ ସୁରକ୍ଷାକୁ ପ୍ରଭାବିତ କରୁଥିବା ନକଲି କିମ୍ବା ଅପମିଶ୍ରିତ ପ୍ରସାଧନ ସାମଗ୍ରୀ ସହ ଜଡ଼ିତ ଅପରାଧ ନିମନ୍ତେ ପୂର୍ବଭଳି କଠୋର ଦଣ୍ଡବିଧାନ ବ୍ୟବସ୍ଥା ଜାରି ରହିବ।
ଏହି ସଂଶୋଧନଗୁଡ଼ିକ ମାଧ୍ୟମରେ ଧାରା ୨୮‘କ’ ଅଧୀନରେ ହେଉଥିବା ନିୟମ ଉଲ୍ଲଂଘନକୁ ମଧ୍ୟ ପ୍ରଶାସନିକ ଜରିମାନା ଅଧିନକୁ ଅଣାଯାଇଛି। ଏହି ଧାରାଟି ମୁଖ୍ୟତଃ ରେକର୍ଡପତ୍ରର ରକ୍ଷଣାବେକ୍ଷଣ ଏବଂ ତଥ୍ୟ ପ୍ରଦାନ ଆଦି ପ୍ରକ୍ରିୟାଗତ ଏବଂ ନିୟମ ପାଳନ ଆବଶ୍ୟକତା ସହ ସମ୍ପର୍କିତ।
ନୂତନ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ବିଚାରକ କର୍ତ୍ତୃପକ୍ଷଙ୍କ ନିଯୁକ୍ତି ଏବଂ ଅପିଲ୍‌ ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଏଭଳି ନିୟମ ଉଲ୍ଲଂଘନ ମାମଲାଗୁଡ଼ିକର ସମୟାନୁବର୍ତ୍ତୀ ଏବଂ ସ୍ୱଚ୍ଛ ସମାଧାନ ସମ୍ଭବ ହୋଇପାରିବ।
ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଅଧୀନରେ, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ମାମଲାରେ ପୂର୍ବରୁ ପ୍ରଚଳିତ କୋର୍ଟଙ୍କ ଦ୍ୱାରା ଜରିମାନା ଲାଗୁ କରିବା ବ୍ୟବସ୍ଥାକୁ ଏବେ ଏକ ପ୍ରଶାସନିକ ଜରିମାନା ପ୍ରକ୍ରିୟାରେ ପରିଣତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀରେ ହସ୍ତକ୍ଷେପ କରିବା ପାଇଁ ଥିବା ଦଣ୍ଡବିଧାନକୁ କୋହଳ କରାଯାଇଛି, ଯେଉଁଥିରେ ଜେଲ୍ ଦଣ୍ଡର ଅବଧିକୁ ଛଅ ମାସରୁ ତିନି ମାସକୁ ହ୍ରାସ କରାଯାଇଛି।
ଏହା ସହିତ, ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା କିମ୍ବା ପ୍ରତିରୋଧ କରିବା ସମ୍ବନ୍ଧୀୟ ବ୍ୟବସ୍ଥାକୁ ଖାଦ୍ୟ ସୁରକ୍ଷା ଓ ମାନକ ଆଇନରୁ ବାଦ୍ ଦିଆଯାଇଛି, କାରଣ ଏଭଳି ଅପରାଧଗୁଡ଼ିକ ଭାରତୀୟ ନ୍ୟାୟ ସଂହିତାର ବ୍ୟବସ୍ଥା ଅଧୀନରେ ପୂର୍ବରୁ ହିଁ ପର୍ଯ୍ୟାପ୍ତ ଭାବେ ସାମିଲ ଅଛି। ଏହାଦ୍ୱାରା ଆଇନଗତ ବ୍ୟବସ୍ଥାରେ ଏକାଧିକ ସମାନ ଆଇନର ଦୋହରୀକରଣକୁ ଏଡ଼ାଇ ଦିଆଯାଇପାରିଛି।
ଜନ ବିଶ୍ୱାସ ଅଧିନିୟମ, ୨୦୨୬ ମାଧ୍ୟମରେ ଅଣାଯାଇଥିବା ଏହି ସଂସ୍କାରଗୁଡ଼ିକ ଏକ ଆଧୁନିକ, ସ୍ୱଚ୍ଛ ଏବଂ ବିଶ୍ୱାସ ଆଧାରିତ ନିୟାମକ ବ୍ୟବସ୍ଥା ଗଠନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବୈଷୟିକ ବା ପ୍ରକ୍ରିୟାଗତ ନିୟମ ଉଲ୍ଲଂଘନ ଏବଂ ଗମ୍ଭୀର ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପରାଧଗୁଡ଼ିକ ମଧ୍ୟରେ ଫରକ କରି, ଏହି ସଂଶୋଧନଗୁଡ଼ିକ ଭାରତର ଖାଦ୍ୟ ଓ ଔଷଧ ନିୟାମକ ଢାଞ୍ଚାର ସ୍ବଚ୍ଛତାକୁ ବଜାୟ ରଖିବା ସହିତ ଉପଯୁକ୍ତ ଆଇନଗତ ପ୍ରବର୍ତ୍ତନ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୁଦୃଢ଼ ନିୟମାବଳୀ ମାଧ୍ୟମରେ ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପ୍ରତିବଦ୍ଧ ରହିବା ସହିତ, ଅନାବଶ୍ୟକ ନିୟମ ଅନୁପାଳନର ବୋଝକୁ ହ୍ରାସ କରିବା ଏବଂ ଏକ ଅଧିକ ଦକ୍ଷ ତଥା ବ୍ୟବସାୟ-ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଉଦ୍ୟମ ଜାରି ରଖିଛି ।

jayashree
Leave A Reply

Your email address will not be published.