jayashree

ଜିଲ୍ଲାସ୍ତରୀୟ ‘ଜନ ଭାଗିଦାରୀ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନଜାତୀୟ ଗରିମା ଉତ୍ସବ-୨୦୨୬ ଅନ୍ତର୍ଗତ ‘ଜନ ଭାଗିଦାରୀ ଅଭିଯାନ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ବେଲପଡାରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଚଳିତ ମାସର ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାର ୨୫୬ଟି ଅନୁସୂଚିତ ଜନଜାତି ଅଧ୍ୟୁଷିତ ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ ଗ୍ରାମରେ ଜାରି ରହିବ । ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ, ଜନଜାତି ଐତିହ୍ୟର ସମୃଦ୍ଧି ଏବଂ ଜନଜାତି ଅଧିକାର ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୃକ୍ତ ଗ୍ରାମଗୁଡିକରେ ସାମୁଦାୟୀକ ଅଂଶଗ୍ରହଣକୁ ବୃଦ୍ଧି କରାଯିବ । ଲୋକମାନଙ୍କ ସମସ୍ୟାଗୁଡିକୁ ଶୁଣିବା ଏବଂ ସେଗୁଡିକର ସମାଧାନ ପାଇଁ ପଦକ୍ଷେପ ନିଆଯିବ । ସମ୍ପୃକ୍ତ ଗ୍ରାମଗୁଡିକରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସିକିଲସେଲ, ଯକ୍ଷ୍ମା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହା ସହିତ ଲୋକମାନଙ୍କୁ ଉଦିଷ୍ଟ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନ କରାଯାଇ, ବିଶେଷତଃ ଜନଜାତି ସମ୍ପ୍ରଦାୟଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରାଯିବ । ଏହି ଅଭିଯାନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଚାଲୁଥିବା ସରକାରୀ ଯୋଜନା ଓ ଲାଭର ସୁବିଧା ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବାକୁ ସୁନିଶ୍ଚିତ କରାଯିବ । ଜିଲ୍ଲାପାଳ ମହୋଦୟ କାର୍ଯ୍ୟକ୍ରମର ଉଦଘାଟନ କରି, ସମସ୍ତ ବିଭାଗଙ୍କୁ ସମନ୍ୱୟ ରକ୍ଷା କରି ଏହାକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ସହିତ ଅନ୍ୟାନ୍ୟ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.