
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ କାର୍ଲ ମାର୍କସ ଜୟନ୍ତୀ ଏବଂ ସ୍ୱର୍ଗତ ବିଷ୍ଣୁ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାର୍କସୀୟ ଚେତନାର ବ୍ୟାଖ୍ୟାକାର ତଥା ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଏବଂ ଗଗନ ବିହାରୀ ଧଳ ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ବିଷ୍ଣୁ ମହାନ୍ତିଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ପ୍ରାରମ୍ଭିକ ଅଭିଭାଷଣରେ ଶ୍ରୀ ମହାପାତ୍ର ବିଷ୍ଣୁ ମହାନ୍ତିଙ୍କ ସୁଦୀର୍ଘ କର୍ମମୟ ଜୀବନର ସ୍ମୃତିଚାରଣ ପୂର୍ବକ ଆଞ୍ଚଳିକ ଓ ଜାତୀୟ ଆନ୍ଦୋଳନରେ ସେ ନଥିଲା ବାଲାଙ୍କ ପକ୍ଷରେ ରହି ତାଙ୍କର ସାଲିସ୍ ବିହୀନ ସଂଗ୍ରାମକୁ କିପରି ଜୀବନର ଶେଷ ମୁହୂର୍ତ୍ତ ପର୍ୟ୍ୟନ୍ତ ଜାରି ରଖିଥିଲେ ସେ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଧଳ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ ସହିତ ଦାସ କ୍ୟାପିଟାଲର ବିଜ୍ଞାନ ସମ୍ମତ ଗଭୀର ସମାଜବାଦୀ ଦର୍ଶନ ବିଶ୍ୱ ଶାସନତନ୍ତ୍ରରେ ଓ ସମାଜତନ୍ତ୍ରରେ କି କି ପ୍ରଭାବ ପକାଉଛି ସେ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଚାଟାର୍ଜୀ ମାର୍କସୀୟ ଚେତନା ଏକ ସ୍ଥାଣୁ ଦର୍ଶନ ନୁହେଁ, ଏହା ଏକ କ୍ରମବର୍ଦ୍ଧିଷ୍ଣୁ ତତ୍ତ୍ଵ । ବିଶ୍ଵର ଅଗଣିତ ନିଷ୍ପେସିତ ଜନତାର ଦୁଃଖ ଦୁର୍ଦ୍ଦଶାର ହେତୁ ନିର୍ଣ୍ଣୟ ଓ ତା’ର ପ୍ରତିକାର ବିଧାନ ହିଁ ତାଙ୍କ ଗବେଷଣା ଗ୍ରନ୍ଥର ମୁଖ୍ୟଲକ୍ଷ୍ୟ ଥିଲା ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ପତି ସମସ୍ତ ବକ୍ତାଙ୍କର ବକ୍ତବ୍ୟକୁ ଅତି ସଂକ୍ଷେପରେ ଉପସ୍ଥାପନ କରି ପୁଞ୍ଜିବାଦୀ, ଫାସୀବାଦୀ ଓ ସାମ୍ରାଜ୍ୟବାଦୀ ନିୟନ୍ତ୍ରଣହୀନ ଅର୍ଥନୀତି କିପରି ବିଶ୍ୱ ଦାରିଦ୍ର୍ୟର କାରଣ ପାଲଟିଥିଲା ଓ ମାର୍କସଙ୍କ ଗବେଷଣା ଉଦାର ମାନବତାର ପ୍ରତିଷ୍ଠା ପାଇଁ ରାଷ୍ଟ୍ରର କିପରି ଅପରିହାର୍ଯ୍ୟ କର୍ତ୍ତବ୍ୟ ରହିଛି ସେ ସଂପର୍କରେ ଆଲୋଚନା ରଖିଥିଲେ । ପରେ ବିଷ୍ଣୁ ମହାନ୍ତିଙ୍କୁ ସମର୍ପିତ କାବ୍ୟସଂଧ୍ୟା ଯୁବକବି ଗୌତମ ଦାସଙ୍କ ସଂଯୋଜନାରେ ଡା. କୃପାସିନ୍ଧୁ ନାୟକ, ପ୍ରଶାନ୍ତ କୁମାର ପତି, ପ୍ରତାପ କୁମାର ପଣ୍ଡା, ଅଙ୍ଗୁରବାଳା ପରିଡ଼ା, ପରେଶ ବିଶ୍ୱାଳ, ବଳରାମ ରାଉଳ, ଧୋବେଇ ବେହେରା, ଆଲୋକ ବୋଷ, ଗୀତାରାଣୀ ବେହେରା, ଅର୍ଚ୍ଚନା ପାତ୍ର, ସଂଜୀବ ଭୋଇ, ନିକୁଞ୍ଜ ବିହାରୀ ଦାସ, ତ୍ରିଲୋଚନ ସ୍ୱାଇଁ, ଶିବପ୍ରସାଦ ଦାସ, ଧନଞ୍ଜୟ ମଲ୍ଲିକ, ଶ୍ରୀଧର ସୁନା ପ୍ରମୁଖ କବିତା ପାଠ କରିଥିଲେ । ଏହି ଅବସରରେ ଆଲୋଚକ ରୂପେ ବିମାନ ମାଇତି ଓ ରାଜୀବ ପାଣି ବିଷ୍ଣୁ ମହାନ୍ତିଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ଦାସ, ନଳିନୀକାନ୍ତ ଧର, ରାଧାମୋହନ ନାୟକ, ନୃସିଂହ ଚରଣ ବିଶ୍ୱାଳ, ଉପେନ୍ଦ୍ର କୁମାର ବସ୍ତିଆ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସସ୍ମିତା ପ୍ରଧାନ, କାଶୀନାଥ ପାତ୍ର, ଗଙ୍ଗାଧର ପୁହାଣ, ବାସୁଦେବ ସାହୁ, ସୁକାନ୍ତ କୁମାର ମହାପାତ୍ର, କୈଳାସ ଚନ୍ଦ୍ର ମହାଳି, ପ୍ରଫୁଲ୍ଲ ସାମଲ, ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ କବି ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।