ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  • କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇଦେବା ‘ମୋ ବସ୍‌’ ସେବାର ଲକ୍ଷ୍ୟ
  • ଆଗକୁ ରାଜ୍ୟର ସବୁ ସହରରେ ‘ମୋ ବସ୍‌’ ସେବା ସୁବିଧା ମିଳିବ
  • ଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର ଆଧାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି । ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ । ସେହିଭଳି ବ୍ରହ୍ମପୁର ସହରରେ ଏମ୍‌.କେ.ସି.ଜି ମେଡିକାଲ କଲେଜ- ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର ଆଧାର । ୫-ଟି ଉପକ୍ରମରେ ସାରା ରାଜ୍ୟରେ ଗାଁରୁ ସହର ସବୁଆଡେ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆସିଛି । ‘ମୋ ବସ୍‌’ଠାରୁ ଆରମ୍ଭ କରି ଲକ୍ଷ୍ମୀ ଯୋଜନା ଓ ମେଟ୍ରୋ ରେଳ ଯୋଜନା ନୂଆ ଓଡିଶା ଦିଗରେ ଆମର ଉଦ୍ୟମକୁ ଶକ୍ତିଶାଳୀ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆଜି ଆପଣଙ୍କ ସହରରେ ‘ମୋ ବସ୍‌’ ସେବା ଆରମ୍ଭ ହେଲା । ଏହାଦ୍ୱାରା ଆପଣମାନେ ସହର ଭିତରେ ଏବଂ ଆଖପାଖ ଅଞ୍ଚଳକୁ ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ଯିବାଆସିବା କରି ପାରିବେ । ମୋ ବସ୍‌ ପାଇଁ ଉଭୟ କ୍ୟାସ୍ ଓ ଡିଜିଟାଲ ମୋଡ୍‌ରେ ପେମେଣ୍ଟ ବ୍ୟବସ୍ଥା ସହିତ ‘ମୋ ବସ୍‌ କାର୍ଡ ଟ୍ୟାପ ଆଣ୍ଡ ପେ’ ସୁବିଧା କରାଯାଇଛି ବୋଲି କହି ଏଥିରେ ଯାତ୍ରୀମାନଙ୍କର ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ମଧ୍ୟ ସେ କହିଥିଲେ । ସମ୍ବଲପୁର ମୋ ବସ୍‌ ଗୁଡିକରେ ୯୦ ପ୍ରତିଶତ କଣ୍ଡକ୍ଟର ଭାବେ ମା’ମାନଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇଦେବା ମୋ ବସ ସେବାର ଲକ୍ଷ୍ୟ ବୋଲି ସେ କହିଥିଲେ । ଆଗକୁ ରାଜ୍ୟର ସବୁ ସହରରେ ‘ମୋ ବସ୍‌’ ସେବା ସୁବିଧା ମିଳିବ ବୋଲି ସେ ଘୋଷଣା କରିଥିଲେ । କାର୍ଯ୍ୟକ୍ରମକୁ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ବଲପୁରରେ ବିଧାୟକ ରୋହିତ ପୂଜାରୀ ଯୋଗଦେଇ କହିଲେ ଯେ ଗ୍ରାମାଞ୍ଚଳରେ ଲକ୍ଷ୍ମୀ ବସ୍‌ ଭଳି ଏହି ‘ମୋ ବସ୍‌’ ସେବା ନିଶ୍ଚିତ ଭାବେ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାରେ ସୁବିଧା ଆଣିବ । ଆଜି ବିକାଶର ଧାରା ସମ୍ବଲପୁର ଜିଲ୍ଲାରେ ଜାରି ରହିଛି । ଏଥିପାଇଁ ଜିଲ୍ଲାବାସୀ ବହୁତ ଖୁସି । ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ସେ ଧନ୍ୟବାଦ ଜଣାଇଥିଲେ । ସେହିଭଳି ବ୍ରହ୍ମପୁରରେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ କହିଲେ ଯେ ବ୍ରହ୍ମପୁର ସହରରେ ପିଇବା ପାଣିଠାରୁ ଆରମ୍ଭ କରି ଗମନାଗମନ ପାଇଁ ‘ମୋ ବସ୍‌’ ପର୍ଯ୍ୟନ୍ତ ସମସ୍ତ ସୁବିଧା ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଯୋଗାଇ ଦେଇଛନ୍ତି । ସମାଜର ସମସ୍ତ ବର୍ଗର ଲୋକଙ୍କ କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ରହିଛି । ଏହି ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱ ଦରବାରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥି ଭାଥାନନ୍ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମ୍ବଲପୁରଠାରେ ଉପସ୍ଥିତ ସିଆର୍‌ୟୁଟିର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସ୍ୱାଗତ ଭାଷଣ ଦେଇଥିଲେ ।

Leave A Reply

Your email address will not be published.

three − 1 =