ସଦେଇପାଲିରୁ ପୁଇଁନ୍ତଲା ବ୍ଲକ ସୀମା ରାସ୍ତା ଶୁଭ ଦେଲେ ନରସିଂହ

  • ବିକାଶ ଅଟକିବ ନାହିଁ, ନିରନ୍ତର ଜାରି ରହିବ : ନରସିଂହ
  • ବିକାଶ କୁ ଯିଏ ବିରୋଧ କରିବ, ଲୋକେ ଦେବେ ଜବାବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏହି ୫ ବର୍ଷ ଭିତରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନ ହେଉ କି ଗମନାଗମନ ଯେଉଁଠାରେ ଯେଉଁ ପ୍ରତିଶୃତି ଦିଆଯାଇଛି ସେ ସବୁ ପୁରଣ କରିବା ପ୍ରକ୍ରିୟା ଜାରି ରହିଛି । ଲୋକେ ଦୃଢ ନିଶ୍ଚିତ ଥାଆନ୍ତୁ ବିକାଶ ଏକ ପ୍ରକ୍ରିୟା ଏହା କେବେ ବି ଅଟକିବ ନାହିଁ, ମୁଁ ଶତଚେଷ୍ଟିତ ଏହା ନିଶ୍ଚିତ ଭାବରେ ନିରନ୍ତର ଭାବେ ଜାରି ରହିବ ବୋଲି ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ସଦାଇପାଲି ପଞ୍ଚାୟତର ସଦାଇପାଲିଠାରେ ସଦାଇପାଲିରୁ ପୁଇଁନ୍ତଲା ବ୍ଲକ ସୀମା ପର୍ଯ୍ୟନ୍ତ ଏକ ରାସ୍ତା ଯାହାକି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯିବ ତାହାର ଶୁଭ ଭିତ୍ତିପ୍ରସ୍ତର ଦେଇ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ କହିଛନ୍ତି ଗମନାଗମନ ଯେତେବେଳେ ସହଜ ହୋଇଯାଏ ସେତେବେଳେ ଅଂଚଳର ବ୍ୟବସାୟିକ ଦିଗ ଗୁରୁତ୍ୱ ପାଇଥାଏ । ଏହା ହେଲେ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଅନେକ ଉନ୍ନତି ଆସିଥାଏ । ତେଣୁ ଏହି ରାସ୍ତା ନିଶ୍ଚିତ ଭାବରେ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆଣିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ହେବାକୁ ଥିବା ଏହି ରାସ୍ତା ଯାହାର ଲମ୍ବ ୨.୭ କି.ମି. ଏବଂ ବ୍ୟୟ ଅଟକଳ ୧କୋଟି ୯୭ ଲକ୍ଷ ଟଙ୍କା ଏବଂ ତାହାର ସମ୍ପୂର୍ଣ୍ଣ କରିବାର ସମୟ ସୀମା ୬ ମାସ ରଖାଯାଇଛି । ଉପସ୍ଥିତ ଥିବା ସହକାରୀ ଯନ୍ତ୍ରୀ ବୁଦେ୍ଧଶ୍ୱର ମହାପାତ୍ର ତଥା କାର୍ଯ୍ୟକାରୀ ସଂସ୍ଥା ଯେପରି ଏହି ରାସ୍ତା ଠିକ୍‌ ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ ହୋଇପାରିବ ସେ ଦିଗରେ ଯତ୍ନବାନ ହେବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । କେବଳ ଧାର୍ଯ୍ୟ ସମୟ ନୁହେଁ ଏହାର ଗୁଣବତ୍ତାରେ ମଧ୍ୟ କୌଣସି ପ୍ରକାର ସାଲିସ କରାଯିବା କଥା ନୁହେଁ । ଏଥି ପାଇଁ ଗ୍ରାମବାସୀମାନେ ସହଯୋଗ କରିବା ସହ ନଜର ରଖିବା ଉଚିତ ବୋଲି ସେ କହିଥିଲେ । ପରବର୍ତ୍ତୀ ସମୟରେ ସଦାଇପାଲି ଗାଁରେ ହେଉଥିବା ପ୍ରସିଦ୍ଧ ମା’ ଗଜଲକ୍ଷ୍ମୀଙ୍କ ପୂଜା ସ୍ଥଳିକୁ ଯାଇ ଦେବୀଙ୍କ ଆଶୀର୍ବାଦ କାମନା କରିବା ସହ ଅଂଚଳବାସୀଙ୍କ ପାଇଁ ଶୁଭ ମନାସି ଥିଲେ ଶ୍ରୀ ମିଶ୍ର । ଏଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବର୍ତ୍ତମାନ ବ୍ଲକ ସ୍ତରରେ ଚାଲିଥିବା ଦୁର୍ନୀତି ଚରମସୀମାରେ ପହଞ୍ଚିଲାଣି ବୋଲି ସେ ଲୋକଙ୍କୁ କହିଥିଲେ । ସ୍ୱଚ୍ଛ ଶାସନ କହୁଥିବା ନବୀନ ସରକାର କାହିଁକି ଏ ସବୁରେ ଅଙ୍କୁଶ ଲଗାଇ ପାରୁନାହାନ୍ତି ଲୋକେ ତାର ଜବାବ ମାଗନ୍ତୁ ବୋଲି କହିବା ସହ କେବଳ ଯେ ଦୁର୍ନୀତି ପାଇଁ ନୁହେଁ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ମଧ୍ୟ ନବୀନ ସରକାର ନିଜ ଦଳୀୟ ନେତୃତ୍ୱମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ସେ କ୍ଷୋଭର ସହ କହିଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଲୋକ ସତର୍କ ହୋଇ ଯାଆନ୍ତୁ କାରଣ ଏ ଅଂଚଳକୁ ଅନେକ ରାଜନୈତିକ ପର୍ଯ୍ୟଟକ ଲୋକଙ୍କୁ ଭୁଆଁ ବୁଲାଇବାକୁ ଆସି ପାରନ୍ତି, ସେହି ବିକାଶ ବିରୋଧିମାନଙ୍କୁ ଲୋକେ ତାର ଉଚିତ ଜବାବ ନିଶ୍ଚିତ ଭାବରେ ଦେବେ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ଭାଷଣରେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମମାନଙ୍କରେ ଫକୀର ମୋହନ ଥାଟି, ବିରଞ୍ଚି ନାଏକ, ରମେଶ ନାଏକ, ଡ. ପ୍ରଶାନ୍ତ ପ୍ରଧାନ, ବାସୁଦେବ ମୁଗ୍ରୀ, ବାମଦେବ ମିଶ୍ର, ତ୍ରିଲୋଚନ ମହାପାତ୍ର, ସରୋଜ ରଥ, ବ୍ଲକ ସଭାପତି ରାମପ୍ରସାଦ ମିଶ୍ର, ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ଜୟନାରାୟଣ ବହିଦାରଙ୍କ ସମେତ ଶହସ୍ରାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twenty − one =