ls

କୋଭିଡ଼ ଅବ୍‌ଜାର୍‌ଭର୍‌ଙ୍କ ବଲାଙ୍ଗିର ଗସ୍ତ : କୋଭିଡ଼ ସ୍ଥିତି ସମୀକ୍ଷା

2020

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ଦାୟି‌ତ୍ୱରେ ଥିବା କୋଭିଡ଼ ଅବ୍‌ଜାର୍‌ଭର୍‌ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ (ଆଇଏଏସ୍‌) ବଲାଙ୍ଗିର ଗସ୍ତରେ ଆସି ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ ପ୍ରଶାସନିକ ଭବନ ଠାରେ ବଲାଙ୍ଗିର ଜିଲ୍ଲାରେ କୋଭିଡ଼ ସ୍ଥିତି ସଂପର୍କରେ ସବିଶେଷ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ବଲାଙ୍ଗିର ଜିଲ୍ଲାର କୋଭିଡ଼ ସ୍ଥିତି ଏବଂ କୋଭିଡ଼ ମୁକାବିଲା ସକାଶେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କୋଭିଡ଼ ଅବ୍‌ଜାର୍‌ଭର୍‌ଙ୍କୁ ଅବଗତ କରାଇଥିଲେ । ଅବ୍‌ଜାର୍‌ଭର୍‌ ଶ୍ରୀ ସାହୁ କୋଭିଡ଼ ମୁକାବିଲା ନିମନ୍ତେ ଟ୍ରେସିଂ, ଟେ‌ଷ୍ଟିଂ ଏବଂ ଟ୍ରିଟ୍‌ମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେବା ସହ ଜିଲ୍ଲାରେ ଚାଲିଥିବା କୋଭିଡ଼ ଟୀକାକରଣ ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡ଼ ସୁରକ୍ଷା ପ୍ରଟୋକଲ୍‌ ଯଥା- ବାଧ୍ୟତାମୂଳକ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଇତ୍ୟାଦି ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନ କରିବା ସହ ଟୀକାକରଣ ନିମନ୍ତେ ମଧ୍ୟ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ଜିଲ୍ଲାରେ କୋଭିଡ଼ ରୋଗୀଙ୍କ ଚିକିତ୍ସା ନିମନ୍ତେ ରହିଥିବା ଚିକିତ୍ସା ସୁବିଧା ଉପରେ ସମୀକ୍ଷା କରିଥିଲେ । ପରେ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଲାଟ ପରିସରରେ ଥିବା ଏଚ୍‌ଡିୟୁ ଓ ଆସିୟୁ ୱାଡର଼୍ ପରିଦର୍ଶନ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପିଡ଼ି ଡିଆର୍‌ଡ଼ିଏ ଡ. ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଂଜନ ପ୍ରଧାନ, ସିଡ଼ିଏମ୍‌ଓ ଡ. ଭୀମ ସାହୁଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଡିଆଇଇଟି ପରିଦର୍ଶନରେ ଯାଇ ଭିତ୍ତିଭୂମି ଓ ଆନୁସଂଗିକ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ଉପସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କ ସହିତ ମ୍ୟାଟ୍ରିକ ପରୀକ୍ଷା ପ୍ରସ୍ତୁତି ଓ ଶିକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ପରିଦର୍ଶନରେ ଯାଇ ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷାଦାନ ବ୍ୟବସ୍ଥା, ପରିଚାଳନା ଓ ଆନୁସଂଗିକ ଭିତ୍ତିଭୂମି ସଂପର୍କରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ଓଡ଼ିଶା ସ୍କୁଲ ଏଜୁକେସନ୍‌ ପ୍ରୋଗ୍ରାମ ଅଥରିଟିର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.