csstore

୬୪ତମ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ପ୍ରଶାସନର ଶ୍ରଦ୍ଧା ସୁମନ ଅର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୬୪ତମ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ପ୍ରଶାସନର ଶ୍ରଦ୍ଧା ସୁମନ ଅର୍ପଣ ସ୍ୱରୂପ ଶନିବାର ପୂର୍ବାହ୍ନରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ୬୪ତମ ଓଡ଼ିଶା ପୋଲିସ ଶହୀଦ ସ୍ମୃତି ଦିବସ ପାଳନ ପୂର୍ବକ ଏକ ଭବ୍ୟ-ବର୍ଣ୍ଣାଢ଼୍ୟ ସମାରୋହରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରୀୟ ସାଲ୍ୟୁଟ ସମ୍ମାନ ଜଣାଇବା ସାଂଗକୁ ସମ୍ମିଳିତ ପୋଲିସ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଦିବସର ମହତ୍ତ୍ୱ ପ୍ରତିପାଦନ କରିବା ସହ ଶହୀଦ ସ୍ମୃତି ସ୍ତମ୍ବରେ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଗଞ୍ଜାମ ଏସ୍‌ପି ଶ୍ରୀ ମୀନା ଓଡ଼ିଶା ପୋଲିସର କୃତିତ୍ୱ ଓ ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ିଏସ୍‌ପି ସୁଜିତ କୁମାର ନାୟକ, ମମତା ନାୟକ, ଛତ୍ରପୁର ଏସ୍‌ଡ଼ିପିଓ ଗୌର ହରି ସାହୁ, ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସଙ୍କ ସମେତ ବହୁ ପ୍ରମୁଖ ଜିଲ୍ଲା ପୋଲିସ ଅଧିକାରୀଗଣ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରେଡ଼ କମାଣ୍ଡେଣ୍ଟ ବିବେକାନନ୍ଦ ନାୟକ, ସେକଣ୍ଡ କମାଣ୍ଡେଣ୍ଟ ସୁସ୍ମିତା ପଣ୍ଡା ପ୍ରମୁଖ ପରେଡ଼ ପରିଚାଳନା କରିଥିଲେ । ଏସ୍‌.ଆଇ. ଲକ୍ଷ୍ମୀ ପ୍ରିୟା ମଲ୍ଲିକ, ପ୍ରିୟଙ୍କା ସାହୁ, ହେମାରାଣୀ ଶର୍ମା ପ୍ରମୁଖ ପୁଷ୍ପଗୁଚ୍ଛ ଅର୍ପଣ ସେବାରେ ସହଯୋଗ କରିଥିଲେ । କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି ଏହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.