csstore

ଅସ୍ଥିତ୍ଵ ଓ ପିଇସିଟିର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିଶୁ କନ୍ୟାମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟ ତଥା ସମସ୍ତ ପ୍ରକାର ମାନବିକ ଅଧିକାରକୁ ସୁରକ୍ଷିତ କରି ସେମାନଙ୍କର ସମ୍ପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଜନସଚେତନତା ଜାଗରଣ କରିବା ଉଦ୍ଦେଶ୍ୟରେ ୨୦୦୮ ମସିହାରୁ ଜାନୁଆରୀ ୨୪ ତାରିଖକୁ ରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଗତକାଲି ଭୁବନେଶ୍ଵରସ୍ଥିତ ଦୁଇଟି ସମାଜସେବୀ ସଂସ୍ଥା ଅସ୍ଥିତ୍ଵ ଓ ପିଇସିଟି (ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ)ର ମିଳିତ ଆନୁକୂଲ୍ୟରେ “ଶିଶୁ କନ୍ୟାମାନଙ୍କର ସ୍ୱାସ୍ଥ୍ୟ’ ଶୀର୍ଷକରେ ଏକ ଭର୍ଚୁଆଲ୍‌ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାଟି ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ସୁଶ୍ରୀ ସ୍ନେହାଞ୍ଜଳି ମହାନ୍ତି ଓ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ଵର, ଏକାମ୍ରକ୍ଷେତ୍ରର ଅଧ୍ୟକ୍ଷ ଡ. ଅଚୁତାନନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । କର୍ମଶାଳାର ବୈଷୟିକ ଅଧିବେସନରେ ଭୁବନେଶ୍ୱରର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ବା ଆର୍‌ଏମଆରସିର ବୈଜ୍ଞାନିକ ଡ଼. ଶ୍ରୀକାନ୍ତ କାନୁନଗୋ, କିମସ୍ ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼. ରାଜଲକ୍ଷ୍ମୀ ମହାରଣା ଓ ଛଡ଼ିଶଗଡ଼ ସ୍ଥିତ ନିଜ ଡାକ୍ତରଖାନାର ବଳିଷ୍ଠ ପରାମର୍ ଦାତା ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡ଼. ଜ୍ୟୋତି ଶ୍ରୀବାସ୍ତବ ଶିଶୁ କନ୍ୟାମାନଙ୍କ ବିଭିନ୍ନ ଦିଗଗୁଡ଼ିକ ଉପରେ ଆଲୋକପାତ କରି ସ୍ଵାସ୍ଥ୍ୟ ଗତ ଅଧିକାରର ସୁରକ୍ଷା ପାଇଁ ବିଭିନ୍ନ ଉପାୟ ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ପରିବାର, ସମାଜ, ରାଷ୍ଟ୍ର ତଥା ସମ୍ପୂର୍ଣ୍ଣ ମାନବ ସମାଜର ଗଠନ ଓ ପରିଚାଳନାରେ ନାରୀମାନଙ୍କର ଅତୁଳନୀୟ ଭୂମିକା ରହିଥିଲେ ମଧ୍ୟ ନାରୀମାନେ ଜନ୍ମ ସମୟରୁ ଓ ଜନ୍ମ ପୂର୍ବରୁ ମଧ୍ୟ ସମାଜରେ ବିଭିନ୍ନ ପ୍ରକାର ଅବହେଳା, ଅସମାନତା ଓ କୁପ୍ରଥାର ଶିକାର ହୋଇଥାଆନ୍ତି ବୋଲି କହିଥିଲେ । ଭାରତୀୟ ଲୋକକଥାରେ କୁହାଯାଇଛି ଯେ, ପ୍ରଥମ ପିଲାଟି କନ୍ୟା ହେଲେ ପିତା ମାତାଙ୍କର ଆୟୁଷ ଓ ଆୟ ବୃଦ୍ଧି ହୋଇଥାଏ । ତେଣୁ ଶିଶୁ କନ୍ୟାକୁ ଘରର ଲକ୍ଷ୍ମୀ ଓ କନ୍ୟା ରତନ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଦୁଖର ବିଷୟ ହେଉଛି ଶିଶୁକନ୍ୟାଟି ପରିବାରରେ ହିଁ ତାର ଶିକ୍ଷା, ସ୍ଵାସ୍ଥ୍ୟ ପୋଷଣ ତଥା ଶାନ୍ତ ଓ ସହପୂର୍ଣ୍ଣ ପରିବେଶ ପରି ମୌଳିକ ଅଧିକାରଗୁଡିକରୁ ବଞ୍ଚିତ ହୋଇଥାଏ ଯାହା ସମାଜ ଓ ରାଷ୍ଟ୍ରର ସାମାଜିକ ଓ ଆର୍ଥିକ ବିକାଶରେ ନକାରତ୍ମକ ପ୍ରଭାବ ପକାଇଥାଏ ବୋଲି ଉକ୍ତ କର୍ମଶାଳାରେ ମତ ପ୍ରକାଶ ପାଇଥିଲା । ଏହି କର୍ମଶାଳାରେ ରାଜ୍ୟର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଗ୍ରାମ ଓ ସହରର ବହୁ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ଅସ୍ଥିତ୍ଵ ସଂସ୍ଥାର ସମ୍ପାଦିକା ଡ଼. ମମତା ଦାଶ ଏହି କର୍ମଶାଳାକୁ ସଂଚାଳନା କରିଥିବା ବେଳେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ଵରର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ତପଶ୍ଵିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.