csstore

୬ ତାରିଖରେ ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ : ବରଗଡ଼ରେ ସ୍ୱାଗତ କରିବେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ପୂର୍ବତଟ ରେଳପଥର ପ୍ରସ୍ତାବକୁ ଅନୁମୋଦନ କରି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପୁରୀ–କୋରାପୁଟ–ପୁରୀ ମଧ୍ୟରେ ନୂତନ ୧୮୪୦୭/୧୮୪୦୮ ପୁରୀ–କୋରାପୁଟ ଏକ୍ସପ୍ରେସ ଚଳାଚଳ ପାଇଁ ସବୁଜ ସଙ୍କେତ ଦେଇଛି । ରେଳ ବୋର୍ଡ ପକ୍ଷରୁ ଜାରି ହୋଇଥିବା ପତ୍ର ଅନୁଯାୟୀ, ୧୮୪୦୭ “ପୁରୀ – କୋରାପୁଟ” ଏକ୍ସପ୍ରେସ ଟ୍ରେନ୍ ପୁରୀରୁ ସକାଳ ୭ଟାରୁ ବାହାରି ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗିର, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା ଆଦି ଷ୍ଟେସନ ଦେଇ ରାତି ୧୧.୩୦ରେ କୋରାପୁଟ ପହଞ୍ଚିବ । ଏହି ଟ୍ରେନଟି ସପ୍ତାହରେ ତିନି ଦିନ ଅର୍ଥାତ ସୋମବାର, ଗୁରୁବାର ଓ ଶନିବାର ଚାଲିବ । ସେହିପରି ୧୮୪୦୮ “କୋରାପୁଟ- ପୁରୀ” ଏକ୍ସପ୍ରେସ ଟ୍ରେନ୍ କୋରାପୁଟ ଷ୍ଟେସନରୁ ଭୋର୍ ୫ଟାରେ ବାହାରି ରାତି ୧୦.୨୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ । ପୂର୍ବ ଟ୍ରେନ ଭଳି ଏହା ମଧ୍ୟ ସପ୍ତାହରେ ମଙ୍ଗଳବାର, ଶୁକ୍ରବାର ଓ ରବିବାର ତିନି ଦିନ ଚାଲିବ । ଆସନ୍ତା ୬ ତାରିଖ ସକାଳେ ପୁରୀ ରେଳ ଷ୍ଟେସନରେ କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହି ନୂତନ ଟ୍ରେନ୍‌ର ଶୁଭାରମ୍ଭ କରିବେ । ଏହାପରେ ଟ୍ରେନ୍‌ଟି ପ୍ରାୟ ୨ଟାରେ ବରଗଡ଼ ରୋଡ଼ ଷ୍ଟେସନରେ ପହଞ୍ଚିବା ସମୟରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯାତ୍ରୀମାନଙ୍କୁ ସ୍ୱାଗତ କରିବେ ଓ ଟ୍ରେନ୍‌କୁ ଅଭିନନ୍ଦନ ଜଣାଇବେ । ଏହି ଅବସରରେ ଡିଆର୍‌ଏମ୍‌ଙ୍କ ସମେତ ରେଳ ବିଭାଗର କର୍ତ୍ତୃପକ୍ଷ ତଥା କର୍ମଚାରୀ ମାନେ ଉପସ୍ଥିତ ରହିବେ । ଏହି ନୂତନ ରେଳ ସେବା ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯାତାୟାତକୁ ଅଧିକ ସୁଗମ କରିବା ସହ ପର୍ଯ୍ୟଟନ, ବ୍ୟବସାୟ, ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ବିଶେଷ କରି ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ଯାତ୍ରୀମାନେ ଶ୍ରୀକ୍ଷେତ୍ର ପୁରୀ ଓ ଶବରୀ ଶ୍ରୀକ୍ଷେତ୍ର କୋରାପୁଟକୁ ସିଧାସଳଖ ରେଳ ସଂଯୋଗ ପାଇବେ । ଏହି ଐତିହାସିକ ପଦକ୍ଷେପ ପାଇଁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ, ଏହି ଟ୍ରେନ୍ ପଶ୍ଚିମ ଓଡ଼ିଶାର ଦୀର୍ଘଦିନର ଦାବି ପୂରଣ କରିବା ସହ ଅଞ୍ଚଳର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେବ ।

jayashree
Leave A Reply

Your email address will not be published.