
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ବସଷ୍ଟାଣ୍ଡ ନିକଟରେ ଗାଁ ପଟକୁ ଯାଇଥିବା ପ୍ରମୁଖ ରାସ୍ତାରେ ଅଳ୍ପ ବର୍ଷା ହେଲେ ମଧ୍ୟ ପାଣି ଜମି ରହୁଥିବାରୁ ସ୍ଥାନୀୟ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ପୂର୍ତ୍ତ ବିଭାଗର ନିଘା ନାହିଁ । ସୂଚନା ଅନୁଯାୟୀ, ମାଣ୍ଡୋସିଲ ବସଷ୍ଟାଣ୍ଡରୁ ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ ଯାତାୟତ କରନ୍ତି । ଗ୍ରାମବାସୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ଯାତ୍ରୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା । କିନ୍ତୁ ବର୍ଷା ଋତୁ ସମୟରେ ତଥା ଅଦିନିଆ ବର୍ଷା ହେବାମାତ୍ରେ ରାସ୍ତାର ନିମ୍ନାଞ୍ଚଳରେ ପାଣି ଜମି ରହୁଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଛି । ପାଣି ଜମି ରହିବା ଫଳରେ ରାସ୍ତାର ଅବସ୍ଥା ମଧ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତା ପାର୍ଶ୍ୱରେ ଉଚିତ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ । ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି ରହୁଛି । ବିଶେଷକରି ଦୁଇଚକିଆ ଯାନ ଚାଳକ ଏବଂ ପାଦଚାରୀମାନେ ଅଧିକ ସମସ୍ୟାରେ ପଡୁଛନ୍ତି । କେତେକ ସମୟରେ ପାଣି ଭରା ଗଡ଼ଢା ଦେଖିବାକୁ ନ ମିଳିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି । ଏପଟେ ସ୍କୁଲ ଓ କଲେଜରେ ପାଠପଢା ଚାଲୁଥିବାରୁ ବର୍ଷା ଋତୁରେ ଏହି ସମସ୍ୟା ଆହୁରି ସମସ୍ୟା ହେଉଛି ବୋଲି ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀମାନେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟତ କରୁଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠିଛି । ତେଣୁ ସମ୍ପୃକ୍ତ ବିଭାଗ ତୁରନ୍ତ ଏହି ସ୍ଥାନର ସ୍ଥିତି ପରିଦର୍ଶନ କରି ରାସ୍ତାର ମରାମତି କାର୍ଯ୍ୟ ହାତକୁ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
