ସୁସ୍ଥ ହେଉଛନ୍ତି ବିଶିଷ୍ଟ ସମାଜସେବୀ ଶ୍ରମିକ ନେତା ଲଳିତ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସ୍ତେ ଆସ୍ତେ ସୁସ୍ଥ ହେଉଛନ୍ତି ବିଶିଷ୍ଟ ସମାଜସେବୀ ଲଳିତ ନାୟକ । ବିଗତ ଦିନରେ ଗୋଡ଼ ଭାଙ୍ଗିଯିବା ପରେ ଚିକିତ୍ସିତ ହେଉଥିବା ବେଳେ ସେ ଅସ୍ଥି କ୍ୟାନ୍‌ସର୍‌ ରୋଗରେ ଆକ୍ରାନ୍ତ ଥିବା ଚିକିତ୍ସକମାନେ ଜାଣି ପାରିଥିଲେ । ତେବେ ପ୍ରଥମ ପାହାଚରେ ରୋଗ ଚିହ୍ନଟ ହୋଇଥିବା ଯୋଗୁଁ ସମାଜସେବୀ ଶ୍ରୀ ନାୟକ ସୁସ୍ଥ ହୋଇଯିବେ ବୋଲି ଡାକ୍ତରମାନେ କହିଥିଲେ । ତାଙ୍କ ଆରୋଗ୍ୟ କାମନା କରି ବଲାଙ୍ଗିର ଜିଲ୍ଲା ତଥା ସାରା ଓଡ଼ିଶାରେ ଭଗବାନଙ୍କ ପାଖରେ ଦୀପଦାନ କରିଥିଲେ ତାଙ୍କ ଶୁଭେଚ୍ଛୁ ବୃନ୍ଦ । ଯୁଦ୍ଧକାଳୀନ ଭିତ୍ତରେ ଭୁବନେଶ୍ୱରରେ ତାଙ୍କ କେମୋ ଚିକିତ୍ସା ଚାଲିଥିବା ବେଳେ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା କୁହାଯାଇଛି । ବଲାଙ୍ଗିର ମାଟିର ଜଣେ ଟାଣୁଆ ନେତା, ବିଶିଷ୍ଟ ସମାଜସେବୀ, ରକ୍ତଦାନ କ୍ଷେତ୍ରରେ ଜଣେ ଆଗୁଆ ମଣିଷ, ଗରିବ ଖଟିଖିଆଙ୍କ ସାଥୀ, ଟ୍ରେଡ୍‌ ୟୁନିଅନ୍‌ ଲିଡର୍‌ ଲଳିତ ନାୟକ ଖୁବ୍‌ ଅଳ୍ପଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇ ବଲାଙ୍ଗିର ଫେରିବେ ବୋଲି ସୂଚନା ମିଳିଛି । ଏହି ସୂଚନାରେ ତାଙ୍କ ପ୍ରଶଂସକ ତଥା ଶୁଭେଚ୍ଛୁମାନଙ୍କ ମହଲରେ ଖୁସିର ବାତାବରଣ ଦେଖାଦେଇଛି । ଏଠାରେ ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ସଂକ୍ରମଣ କାଳରେ ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବା ଅସୁବିଧାରେ ପଡ଼ିଥିବା ବେଳେ ସମାଜସେବୀ ଲଳିତ ନାୟକଙ୍କ ଅସୁସ୍ଥତା ସେମାନଙ୍କୁ ଆହୁରି କଷ୍ଟ ଦେଇଥିଲା । ଶ୍ରୀ ନାୟକଙ୍କ ଦ୍ୱାରା ଶ୍ରମିକମାନେ ସଦାସର୍ବଦା ଉପକୃତ ହୋଇ ପାରୁଥିଲେ । କିନ୍ତୁ ଠିକ୍‌ ଶ୍ରମିକମାନଙ୍କ ଅସୁବିଧା ବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କ ଅନୁପସ୍ଥିତିରେ ଭାଂଗି ପଡ଼ିଥିଲେ ଶ୍ରମିକମାନେ । ତେବେ ଲଳିତ ନାୟକଙ୍କ ସୁସ୍ଥ ହେଉଥିବା ଖବର ଶ୍ରମିକମାନଙ୍କୁ ମଧ୍ୟ ବେଶ୍‌ ଆଶ୍ୱସ୍ତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.