ସମାଜସେବୀ କୁଶ ନାଗଙ୍କ ବିୟୋଗରେ ଦଳିତ ସମାଜ ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆମ୍ବେଦକର ପାଠାଗାର ଠାରେ ଦଳିତ ସମାଜ ବଲାଙ୍ଗିର ତରଫରୁ ସ୍ୱର୍ଗୀୟ ସମାଜସେବୀ କୁଶ ନାଗଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ବିଦ୍ୟାଂଗତ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗୀୟ କୁଶ ନାଗ ଏକାଧାରରେ ଜଣେ ସରକାରୀ କର୍ମଚାରୀ, ଲେଖକ, ସମାଜସେବୀ, କଳାକାର ବହୁ ପ୍ରତିଭାର ଅଧିକାରୀ ଥିଲେ ।ସେ ଦଳିତ ସମାଜର ଉତ୍ଥାନ ପାଇଁ ସଦା ସର୍ବଦା କାର୍ୟ୍ୟ କରି ଆସୁଥିଲେ । ବଲାଙ୍ଗିର ସହରର ସବୁ ବର୍ଗର ଲୋକଙ୍କ ଦ୍ୱାରା ଆଦୃତ ହେଉଥିବା ବେଳେ ବିଶେଷ ଭାବରେ ଦଳିତ ସମାଜ ପାଇଁ କାର୍ୟ୍ୟ କରୁଥିଲେ । ଦଳିତ ସମାଜ ଜଣେ ସୁସଂଗଠକ, ମାର୍ଗଦର୍ଶକ କୁ ହରାଇଲା ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ନିସ୍ପେଷିତ ଦଳିତ ସମାଜ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ତରରେ କିପରି ଆଗକୁ ଯିବ କୁଶ ନାଗ ସର୍ବଦା ଚିନ୍ତା କରୁଥିଲେ । ଆଜିର ଏହି ସଭାରେ କାନ୍ତିଲାଲ ମୁଗ୍ରୀ, ନେପାଲ ବାଗ, ଶମ୍ଭୁ ନାଗ, ବିଜୟ ବାରିକ, ଦ୍ରୋଣ କୁମ୍ଭାର, କିଶୋର କୁମ୍ଭାର, ରଶ୍ମି ବାଗ, ତରଣି ଦିପ, ବାସୁ ମୁଗ୍ରୀ, ସୀତାରାମ କୁମ୍ଭାର , ଭୁବନ ସୁନା ନିଜର ବକ୍ତବ୍ୟରେ ଦିବଙ୍ଗତ ଆତ୍ମାର ସ୍ମୃତି ଚାରଣ କରିଥିବା ବେଳେ ସୂର୍ୟ୍ୟ ସୁନା, କାର୍ତ୍ତିକ ନାଗ, ସୁନିଲ ମୁଗ୍ରୀ, ପ୍ରହଲ୍ଲାଦ କୁମ୍ଭାର, ସଚିନ କୁମ୍ଭାର ସହିତ ଦଳିତ ସମାଜର ଶତାଧିକ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.