କୋଟି କୋଟି ଟଙ୍କାର ସରକାରୀ କୋଠା ପାଲଟିଛି ଏବେ ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ କାର୍ୟ୍ୟାଳୟର କର୍ମଚାରୀମାନଙ୍କ ରହିବା ପାଇଁ ବାସଗୃହ ସରକାର ପାଞ୍ଚ କି ଦଶ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ଠିକାଦାରମାନଙ୍କ ଦ୍ୱାରା କାମକଲେ । କିନ୍ତୁ କାମ ସରିଗଲା ପରେ କାମରେ ଲାଗୁନାହିଁ ଏହି ସରକାରୀ କୋଠା । ସରକାର ସିନା ଖର୍ଚ୍ଚ କରି କୋଠା ତିଆରି କରିଦେଲେ, ହେଲେ ସରକାରୀ ବାବୁମାନେ ରହିବା ପାଇଁ ନାରାଜ । ଏବେ କୋଠାଗୁଡିକ ରକ୍ଷଣାବେକ୍ଷଣ ଅଭାବ ହେତୁ ଭାଙ୍ଗିବାକୁ ବସିଲାଣି ଓ ଏହା ଭୁତକୋଠି ପାଲଟିଛି । ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଳଟୁଛି । ୨୦୧୨ ମସିହାରେ କୋଟିଏ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା ୮ ରୁ ୧୦ଟି କୋଠାଘର । କିନ୍ତୁ ନିର୍ମାଣ ହେବା ଦିନଠାରୁ ସେଠାରେ କେହି ରହିଲେ ନାହିଁ । ସରକାରୀ କର୍ମଚାରୀ ବଦଳରେ ଗାଈଗୋରୁ, କୁକୁରମାନେ ରାଜୁତି କରୁଛନ୍ତି । ବଲାଙ୍ଗୀର ସଦର ମହକୁମାରୁ ଆଗଲପୁରର ଦୂରତା ୫୦ରୁ ୫୫କିମି ହେବ । ସବୁବେଳେ ଯିବା ଆସିବା କରିବା ବାବୁମାନଙ୍କ ପାଇଁ କଷ୍ଟକର ବ୍ୟାପାର । କର୍ମଚାରୀ ରହେବେ ବୋଲି ନିର୍ମାଣ କରାଗଲା । ନିଛାଟିଆ ସ୍ଥାନରେ କୋଠା ଥିବା କହି କେହି ରହିଲେ ନାହିଁ । କିନ୍ତୁ କୋଠା ନିକଟରେ ଆଗଲପୁର ଦମକଳ କେନ୍ଦ୍ର, ବିଜ୍ଞାନ ମହାବିଦ୍ୟାଳୟ, ବାଳକ ହାଇସ୍କୁଲ, ଶିଶୁମନ୍ଦିର, ସପ୍ତାହିକ ହାଟ, ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ରହିଛି । ସେପଟେ ତହସିଲଦାର ସନ୍ତୋଷ ଦାସ ନୂଆ ଯୋଗ ଦେଇଛନ୍ତି । କୋଠା ସମ୍ପର୍କରେ କିଛି କହିବେ ନାହିଁ ବୋଲି କହିଛନ୍ତି । ସ୍ଥାନୀୟ ବିଧାୟକ ତଦନ୍ତ କରି ଯାହାକିଛି ପଦକ୍ଷେପ ନେବେ, ନିଆଯିବ ବୋଲି କହିଛନ୍ତି । ଆଗଲପୁର ଜନସାଧାରଣ କିନ୍ତୁ କୌଣସି ସାମାଜିକ କାମରେ ଲଗାଯାଉ ବୋଲି ଦାବୀ କରୁଛନ୍ତି । ପାଖରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର ମଧ୍ୟ ସମାନ ଅବସ୍ଥା । ତେଣୁ ସରକାର ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ ।

Leave A Reply

Your email address will not be published.