pakka

ନରସିଂହଙ୍କୁ ସରକାରଙ୍କ ଡର

bbehera
  • ମେଡିକାଲ କଲେଜ ହସ୍‌ପିଟାଲ ଉଦ୍‌ଘାଟନୀରେ କହିବାକୁ ଦେଲେ ନାହିଁ ସୁଯୋଗ
  • ମୋତେ କହିବାକୁ ସୁଯୋଗ ନ ଦେଇ ବଲାଙ୍ଗିରବାସୀଙ୍କୁ କରାଯାଇଛି ଅପମାନ : ନରସିଂହ
  • ସରକାରୀ ସଭାରେ ଜଳ ସଂପଦ ମନ୍ତ୍ରୀଙ୍କ ରାଜନୈତିକ ଭାଷଣକୁ କଲେ ନିନ୍ଦା
  • ସ୍ଥାନୀୟ ଜନ ପ୍ରତିନିଧିଙ୍କୁ କୁହାଇ ନଦେବା ଜନସାଧାରଣଙ୍କ ପ୍ରତି ଅପମାନ ଅଟେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ମେଡିକାଲ କଲେଜ ପରିସରରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍‌ପିଟାଲ୍‌ର ଉଦ୍‌ଘାଟନୀ ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ନିଜେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ବେଳେ ଏହି ମେଡିକାଲ କଲେଜର ଆରମ୍ଭ କରାଯାଇଥିଲା । ସ୍ଥାନୀୟ ସରକାରୀ ଦଳର ନେତାଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା ପ୍ରତିଷ୍ଠା ହେବାରେ ବହୁ ବିଳମ୍ବିତ ହୋଇଥିଲା । ମେଡିକାଲ କଲେଜ ଉଦ୍‌ଘାଟନ ପରେ ଆଜି ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସପିଟାଲର ଉଦ୍‌ଘାଟନ ହୋଇଛି । କିନ୍ତୁ ବିଡମ୍ବନାର ବିଷୟ ଏଠାରେ ଅନୁଷ୍ଠିତ ସରକାରୀ ଉଦ୍‌ଘାଟନୀ ସଭାରେ ସ୍ଥାନୀୟ ବିଧାୟକ ଭାବେ ମତେ ବକ୍ତବ୍ୟ ଦେବାରୁ ବଂଚିତ କରିବାର ଷଡଯନ୍ତ୍ର କରିଛନ୍ତି ଏହି ସରକାର । ସରକାର ଜାଣିବା ଦରକାର ଯେ ଏହା କେବଳ ମୋ ପ୍ରତି ଅପମାନ ନୁହେଁ, ଏହା ବଲାଙ୍ଗିରର ସମସ୍ତ ଜନସାଧାରଣଙ୍କ ପ୍ରତି ଅପମାନ ବୋଲି ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ ପରିସରରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍‌ପିଟାଲ୍‌ର ଉଦ୍‌ଘାଟନୀ ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସଭାରେ ସୁଯୋଗ ନ ଦେବାରୁ ସଭା ମଂଚ ଛାଡି ବିଧାୟକ ଶ୍ରୀ ମିଶ୍ର ମଂଚରୁ ଓହ୍ଲାଇ ଯିବା ସହ ଏହା ମଧ୍ୟ କହିଥିଲେ ଯେ ମେଡିକାଲ କଲେଜ ହସ୍‌ପିଟାଲ୍‌ ଅସମ୍ପୂର୍ଣ୍ଣ ଥାଇ ମଧ୍ୟ ସରକାର ତରବରରେ ଏହାର ଉଦ୍‌ଘାଟନ କରିବା ଉଦ୍ଦେଶ୍ୟ ହେଲା ନିର୍ବାଚନରେ ହାରିଯିବାର ଭୟ । ତେଣୁ ବଲାଙ୍ଗିର ଜନସାଧାରଣଙ୍କୁ ଅନ୍ଧାରରେ ରଖି ଆଜି ଅସମ୍ପୂର୍ଣ୍ଣ ଡାକ୍ତରଖାନାକୁ ଲୋର୍କାପଣ କରାଯାଉଛି । ବିଧାୟକ ଶ୍ରୀ ମିଶ୍ର ସରକାର କାହିଁକି ଏତେ ଡରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ସହ ସେ ଏହା ବି କହିଥିଲେ ଯେ ମନ୍ତ୍ରୀ ଟୁକୁନି ସାହୁଙ୍କ ବକ୍ତବ୍ୟ ଘୋର ନିନ୍ଦନୀୟ ଅଟେ । ଏକ ସରକାରୀ ସଭାରେ ମନ୍ତ୍ରୀ ନିଜେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବକ୍ତବ୍ୟ ରଖିବା ଅସାମ୍ବିଧାନିକ ଅଟେ । ଏହାକୁ ବଲାଙ୍ଗିରବାସୀ କଦାପି ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବଲାଙ୍ଗିରବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଧାୟକ ଶ୍ରୀ ମିଶ୍ର ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଥିବା ବେଳେ ଏହି ମେଡିକାଲ କଲେଜର ଉଦ୍‌ଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ସରକାର ଅମଳରେ ଏହି ମେଡିକାଲ କଲେଜ ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ସହଭାଗିତାରେ କଲେଜ ନିର୍ମାଣ ସମ୍ପୂର୍ଣ୍ଣ କରିବାର ମଞ୍ଜୁରି ମିଳିଥିଲା । ସେହି ସମୟରୁ ବିଧାୟକ ଶ୍ରୀ ମିଶ୍ର ମେଡିକାଲ କଲେଜ କିପରି ସମ୍ପୂର୍ଣ୍ଣ ହେବ ସେ ଦିଗରେ ଉଦ୍ୟମ ଜାରି ରଖିଥିଲେ । ଯାହାକି ଆଜି ସମ୍ପୂର୍ଣ୍ଣ ହୋଇ ଲୋକଙ୍କ ସେବାରେ ଲାଗୁଛି ।

jay balangir
Leave A Reply

Your email address will not be published.

two × one =