ବିଦ୍ୟୁତ କମ୍ପାନୀକୁ ଛାଡ଼, ଗ୍ରାହକ ମୁଣ୍ଡରେ ଅଠା ବୋଳିବେ ରାଜ୍ୟ ସରକାର : ସଭାପତି ରମେଶ ଶତପଥୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଏକ ଜନକଲ୍ୟାଣ ରାଜ୍ୟରେ ସାଧାରଣ ଜନତାଙ୍କୁ ସୁବିଧା ସୁଯୋଗ ଦେବା ସରକାର ପ୍ରାଥମିକ ଦେବା ଉଚିତ । କିନ୍ତୁ ରାଜ୍ୟ ସରକାର ନିଜର ଅପାରଗତା ଏବଂ ବେପରୁଆ ମନୋଭାବ ଯୋଗୁଁ ଗତ ୧୦ ବର୍ଷରେ ଗ୍ରୀଡ଼କୋର କ୍ଷତି ହୋଇଥିବା ୭୭୮୮ କୋଟି ଟଙ୍କା ବିଦ୍ୟୁତ ଦର ବୃଦ୍ଧି କରି ରାଜ୍ୟର ୯୫ ଲକ୍ଷ ଉପଭୋକ୍ତାଙ୍କ ଠାରୁ ଆଦାୟ କରିବା ପାଇଁ ଚକ୍ରାନ୍ତ କରୁଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସ୍ଥାନୀୟ ସିଟି ପେଲେସ୍‌ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶତପଥୀ କହିଲେ, ରାଜ୍ୟ ସରକାର ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ୧୯୯୫ ମସିହାରେ ରାଜ୍ୟ ବିଦ୍ୟୁତ ବୋର୍ଡକୁ ଭାଙ୍ଗି ବିଦ୍ୟୁତ ବିଭାଗରେ ସଂସ୍କାର ଆଣିଲେ । ପ୍ରଥମେ ପରିଚାଳନା ଗତ ଅପାରଗତା ଯୋଗୁଁ ସ୍ୱଳ୍ପ ମୂଲ୍ୟରେ ଟିଟିପିଏସ ଓ ଏନଟିପିସିକୁ ବିକ୍ରି କଲେ । ରାଜ୍ୟ ସରକାରଙ୍କ ନିଜସ୍ୱ କମ୍ପାନୀ ଗ୍ରୀଡ଼କୋ ଓ ଜଳ ବିଦ୍ୟୁତ ନିଗମ ଗଠନ କଲେ । ଗ୍ରୀଡ଼କୋ ଦାୟିତ୍ୱରେ ବିଦ୍ୟୁତ ସରବରାହ, ବିଦ୍ୟୁତ କିଣା, ବିଦ୍ୟୁତ ବିତ୍ତରଣ ଦାୟିତ୍ୱ ରହିବା ବେଳେ ଜଳ ବିଦ୍ୟୁତ ନିଗମ (ଓଏଚପିସି) ରାଜ୍ୟର ସମସ୍ତ ଜଳ ବିଦ୍ୟୁତ ପ୍ରକଳ୍ପର ରକ୍ଷଣା ବେକ୍ଷଣା ନୂଆ ଜଳ ବିଦ୍ୟୁତ ପ୍ରକଳ୍ପମାନ ନିର୍ମାଣ କରି ସ୍ୱଳ୍ପ ମୂଲ୍ୟରେ ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଇବାର ବ୍ୟବସ୍ଥା କଲେ । ପରବର୍ତ୍ତୀ ସମୟରେ ବିଦ୍ୟୁତ ବିତ୍ତରଣ ଦାୟିତ୍ୱ ୪ଟି ବିତ୍ତରଣ କମ୍ପାନୀ ସେସ୍କୋ, ନେସ୍କୋ, ସାଉଥକୋ, ସିକୋ ଗଠନ କରାଯାଇ ବିଦ୍ୟୁତ ଗ୍ରାହକଙ୍କୁ ଉନ୍ନତ ମାନର ବିଦ୍ୟୁତ ଓଇଆରସି ନିର୍ଦ୍ଧାରିତ ରେଟରେ ଯୋଗାଇଦିଆଯାଇ ଅର୍ଥ ଆଦାୟ କରିବାର ଦାୟିତ୍ୱ ଦିଆଗଲା । ଏହି ସମସ୍ତ କମ୍ପାନୀ ରାଜ୍ୟ ସରକାରଙ୍କର ନିଜସ୍ୱ କମ୍ପାନୀ ଭାବେ କାମ କଲା । ୧୯୯୯ ମସିହାରେ କମ୍ପାନୀ ଗୁଡିକର ୫୧ ପ୍ରତିଶତ ଅଂଶଧନକୁ ରାଜ୍ୟ ସରକାର ବିକ୍ରି କରି ତାର ମାଲିକାନାକୁ ଘରୋଇ କମ୍ପାନୀ ହାତରେ ଟେକିଦେଲେ । ସେସ୍କୋର ଦାୟିତ୍ୱ ଆମେରିକାର ଏଇଏସ କମ୍ପାନୀ ଓ ଅନ୍ୟ ୩ଟି କମ୍ପାନୀ ନେସ୍କୋ, ସିସ୍କୋ, ସାଉଥକୋର ଦାୟିତ୍ୱ ବିଏସଇଏସ/ ରିଲିଆନ୍ସକୁ ଦିଆଗଲା । ପରବର୍ତ୍ତୀ ସମୟରେ ସମସ୍ତ କମ୍ପାନୀ ଏଥିରୁ ଓହରିଯାଇ କୋଟି କୋଟି ଟଙ୍କା ହଡ଼ପ କରିଥିଲେ ମଧ୍ୟ ରାଜ୍ୟ ସରକାର ନୀରବ ସାଜିବା ଆଶ୍ଚର୍ଯ୍ୟଜନକ ବୋଲି ମତ ପ୍ରକାଶ ପାଇଛି । ଓଇଆରସିର ଚିଠି ପାଇଲା ପରେ ୨୦୧୦ ମସିହାରେ ରାଜ୍ୟ ସରକାରଙ୍କର ଏକ କାପେ ଯୋଜନା କରି ୨୪୦୦ କୋଟି ଟଙ୍କା ୩ ବର୍ଷରେ ଖର୍ଚ୍ଚ କରିବାର ନିର୍ଦ୍ଦେଶ ବିତରଣ କମ୍ପାନୀମାନଙ୍କୁ ଦେଲେ । ୨୦୧୬ ସୁଦ୍ଧା ମାତ୍ର ଖର୍ଚ୍ଚ ହେଲା ୯୨୦ କୋଟି ଟଙ୍କା ତାହା କେବଳ ଜିନିଷ କିଣାରେ ହେଲେ କାମ କଣ ହେଲା ପ୍ରକୃତରେ ଖର୍ଚ୍ଚ ହେଲା କି ନାହିଁ କେହି ଜାଣିଲେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏଟିସି ଲସ କମିଲା ନାହିଁ ବଢି ଚାଲିଲା । ଓଇଆରସି ନିର୍ଦ୍ଦେଶକୁ ମଧ୍ୟ ଗୁରୁତ୍ୱ ଦେଲେ ନାହିଁ । ରିଲିଆନ୍ସ ତାର ଅଂଶଧନକୁ ଅନ୍ୟ କମ୍ପାନୀକୁ ବିକ୍ରି କଲା । ଆମର ବିରୋଧ ଫଳରେ ୨୦୧୫ରେ ଓଇଆରସି ନେସ୍କୋ, ସେସ୍କୋ, ସାଉଥକୋର ଲାଇସେନ୍ସ ରଦ୍ଧ କରି ରାଜ୍ୟର ଶକ୍ତି ସଚିବ ଓ ଗ୍ରୀଡ଼କୋର ସିଏମଡିଙ୍କ ହାତରେ ୩ଟି ଯାକ ବିତ୍ତରଣ କମ୍ପାନୀର ସମସ୍ତ କାର୍ଯ୍ୟ ପରିଚାଳନା କରିବାର ନିର୍ଦ୍ଦେଶ ଦେଲେ । ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ ହେଲା, ହେଲେ ଅପଦାର୍ଥ, ଅଯୋଗ୍ୟ ଲୋକମାନଙ୍କ ଦ୍ୱାରା ଏହାର ସଠିକ ପରିଚାଳନା ହୋଇପାରିଲା ନାହିଁ କ୍ଷତି ବଢି ବଢି ଚାଲିଲା । ଗ୍ରୀଡ଼କୋ ଓଇଆରସି ନିକଟରେ ୨୦୨୨-୨୩ ବର୍ଷର ଯେଉଁ ତଥ୍ୟ ଉପସ୍ଥାପନା କଲେ ସେଥିରେ ଜଣାଇଲେ ଯେ, ବର୍ଷ ବର୍ଷ ଧରି ବିତ୍ତରଣ କମ୍ପାନୀମାନଙ୍କର ଅପାରଗତା ଯୋଗୁଁ ୭୭୮୮ କୋଟି ଟଙ୍କା ବାକି ପଡ଼ିଛି । ଏହାଛଡ଼ା ଅଧିକ ଟଙ୍କାରେ ବିଦ୍ୟୁତ କିଣି କମ୍‌ ପଇସାରେ ବିକ୍ରି କରିବା ଫଳରେ ବ୍ୟାଙ୍କ ଠାରୁ ଆସିଥିବା ଋଣ ମିଶି ୬୫୦ କୋଟି ହେଲାଣି । ଏହି ଅର୍ଥ ସବୁକୁ ବିଦ୍ୟୁତ ଗ୍ରାହକଙ୍କ ଠାରୁ ଆଦାୟ କରାଯିବାର ଆବଶ୍ୟକତା ଅଛି । ଓଇଆରସି ଏହାକୁ ଗ୍ରହଣ ନକରିବାରୁ ଗ୍ରୀଡ଼କୋ ନୂଆ ପନ୍ଥା ବାହାର କରି ଝିଙ୍ଗ ଅଫ ଆଧାରରେ ଓଇଆରସିର ଦ୍ୱାରସ୍ଥ ହୋଇ ୨୦୧୫-୧୬ରୁ ୨୦୧୯-୨୦ ପର୍ଯ୍ୟନ୍ତ ୫୫୦୦ କୋଟି ଟଙ୍କା ଗ୍ରୀଡ଼କୋର ପ୍ରକୃତ ଖର୍ଚ୍ଚ ଦର୍ଶାଇ ବିଦ୍ୟୁତ ଗ୍ରାହକଙ୍କ ଠାରୁ ତାହା ଆଦାୟ କରିବାକୁ ଯେଉଁ ଦରଖାସ୍ତ ଦେଇଥିଲେ ଓଇଆରସି ତାକୁ ପ୍ରତ୍ୟାଖ୍ୟାନ କରି ସରକାର ଏହି ଅର୍ଥ ବଜେଟ ରଖି ଭରଣା କରିବାକୁ ପ୍ରସ୍ତାବ ଦେଇଥିଲା ବେଳେ ରାଜ୍ୟ ସରକାରଙ୍କର ଗ୍ରୀଡ଼କୋ ଏହାକୁ କାଏମ ରଖିବା ପାଇଁ ଆପିଲେଟ ଟ୍ରିବୁନାଲକୁ ଯାଇଛନ୍ତି । ଯଦି ଟ୍ରିବୁନାଲ ଏହାକୁ ଗ୍ରହଣ କରନ୍ତି ତାହା ହେଲେ ବିଦ୍ୟୁତ ଗ୍ରାହକଙ୍କୁ ଏହି ଅର୍ଥ ଦେବାକୁ ପଡ଼ିବ ଓ ୨୦୨୩-୨୪ ବର୍ଷରେ ଟାରିଫ ବଢିବ । ଏହାକୁ ଆମମାନଙ୍କ ତରଫରୁ ବିରୋଧ କରାଯାଇଥିଲେ ମଧ୍ୟ ସମସ୍ତ ଉପଭୋକ୍ତା, ସଂଗଠନମାନେ ଏହାର ବିରୋଧ କରି ରାଜ୍ୟ ସରକାର ଏଥିରୁ ନିବୃତ ରହିବାକୁ ଦାବୀ କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘ ତଥା ଓଏସଇବି ଶ୍ରମିକ ମହାସଂଘର ସଭାପତି ରମେଶ ଶତପଥୀଙ୍କ ସମେତ ସାଧାରଣ ସମ୍ପାଦକ ଜଗନ୍ନାଥ ମହାରଣା, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଉପସଭାପତି ଏନ. ଭାସ୍କର ରାଓ, ସଦାନନ୍ଦ ଚୌଧୁରୀ, କାଳିପ୍ରସାଦ ମହାପାତ୍ର, ପ୍ରମୋଦ କୁମାର ଦାଶ, ଯଥା ଟିପିଏସଓଡିଏଲ ଏମପ୍ଲସ ୟୁନିଅନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବିଷୋୟୀ, ନୀଳମାଧବ ଦାଶ, ଅଶୋକ ପଟ୍ଟନାୟକ, ଶିବଶଙ୍କର ଦାସ, ଗୋପୀନାଥ ପଣ୍ଡା, ଗୌରହରି ସାମଲ, ବସନ୍ତ କୁମାରୁ ପ୍ରାଣିଗ୍ରାହୀ ଓ ନରୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

six + 15 =