
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୁଲିସକୁ ମିଳିଛି ବଡ଼ ସଫଳତା । ତେଲେଙ୍ଗାନା ରାଜ୍ୟର ଚେନ୍ନୁର ସହରସ୍ଥିତ ଏକ ଇଟାଭାଟିକୁ ବେଆଇନ ଭାବେ ଚାଲାଣ ହେଉଥିବା ୯ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିବା ସହ ଶ୍ରମିକ ସର୍ଦ୍ଦାରଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ ଖପ୍ରାଖୋଲ ପୁଲିସର ଏଏସ୍ଆଇ ନବୀନ କୁମାର ଭୋଇ ଅନ୍ୟ କର୍ମଚାରୀଙ୍କ ସହ ଦିନକାଳୀନ ପାଟ୍ରୋଲିଂ କରୁଥିବା ବେଳେ କନଗାଁ ଛକଠାରେ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ୯ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ, ମହିଳା ଓ ଶିଶୁ ଥିବା ପୁଲିସ ସୂଚନାରେ ଉଲ୍ଲେଖ ରହିଛି । ସେମାନଙ୍କ ମଧ୍ୟରୁ କନଗାଁ ଗ୍ରାମର ଘାସିରାମ ତାମଲିଆଙ୍କ ପରିବାରର ୫ ଜଣ ଏବଂ ସଇଁତଲା ଥାନା ତୁଷ୍ଟାପାଲି ଗ୍ରାମର ଉନାସୁ ଛିନ୍ଦାଙ୍କ ପରିବାରର ୪ ଜଣ ରହିଛନ୍ତି । ଏହି ଶ୍ରମିକମାନଙ୍କୁ ଖପ୍ରାଖୋଲ ଥାନା ଚାଉଳବାଞ୍ଜି ଗ୍ରାମର ମୁସୁରୁ ଧରୁଆ (୩୨) ନାମକ ଶ୍ରମିକ ଠିକାଦାର ପିଙ୍କି ବସ୍ ଯୋଗେ ତେଲେଙ୍ଗାନା ରାଜ୍ୟର ଚେନ୍ନୁର ସହରସ୍ଥିତ ଏକ ଇଟାଭାଟିକୁ ନେଉଥିବା ଜଣାପଡ଼ିଛି । ଏନେଇ ଖପ୍ରାଖୋଲ ଥାନାରେ କେସ୍ ନଂ ୨୪୬/୨୦୨୬ରେ ବିଏନ୍ଏସ୍ର ଧାରା ୧୪୩(୩)/୧୪୬/୩୧୮(୪) ଏବଂ ଆଇଏସ୍ଏମ୍ଡବ୍ଲ୍ୟୁ ଆଇନର ଧାରା ୨୫ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ମୁସୁରୁ ଧାରୁଆଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି ।