jayashree

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଶିଷ୍ଟ ଶିକ୍ଷାବିତ୍ ଏବଂ ବରିଷ୍ଠ ସମାଜସେବୀ ଲାୟନ୍ ଦୀପକ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ଟିଟିଲାଗଡ଼ ତଥା ପଶ୍ଚିମ ଓଡ଼ିଶାର ସିବିଏସଇ ଅନୁବନ୍ଧିତ ଆବାସିକ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ଛାତ୍ରଛାତ୍ରୀମାନେ ଏ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନୁଷ୍ଠାନ ତଥା ଏ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ୨୦୨୫-୨୬ ର ସିବିଏସଇ ଦ୍ୱାଦଶ (ବାଣିଜ୍ୟ, ବିଜ୍ଞାନ ଓ କଳା) ପରୀକ୍ଷାରେ ସମ୍ପୂର୍ଣ୍ଣ ୧୦୦% ସଫଳତା ହାସଲ କରିଛନ୍ତି । ବିଜ୍ଞାନ ବିଭାଗରେ ଆକାଂକ୍ଷା ସିଂହ ୯୩.୪% ଅଙ୍କ ପ୍ରାପ୍ତ କରି ଅନୁଷ୍ଠାନର ଇତିହାସରେ ନିଜ ନାମ ଲେଖାଇଛନ୍ତି ଏବଂ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବାଣିଜ୍ୟ ବିଭାଗରେ ମାନସ ରଞ୍ଜନ ସାହୁ ୮୯.୪% ଅଙ୍କ ପ୍ରାପ୍ତ କରି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ସେହିପରି କଳା ବିଭାଗରେ ରୂପାଶ୍ରୀ ଜଗତ ୯୧.୬% ଅଙ୍କ ପ୍ରାପ୍ତ କରି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉଚ୍ଚସ୍ତରୀୟ ପ୍ରଦର୍ଶନ ଦେଖି ଅଭିଭାବକମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସର୍ବଦା ଚେଷ୍ଟିତ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡଃ. ରବିନ୍ ଚନ୍ଦ୍ର ପରମାଣିକ, ଅଧ୍ୟକ୍ଷ ଏମ. ନାଗା ମାଲେଶ୍ୱର ରାଓଙ୍କ ଉତ୍ତମ ମାର୍ଗଦର୍ଶନ ତଥା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଉତ୍କୃଷ୍ଟ ମାନର ଶିକ୍ଷଣ ପଦ୍ଧତି କାରଣରୁ ଛାତ୍ରଛାତ୍ରୀମାନେ ଏ ସଫଳତା ଅର୍ଜନ କରିଛନ୍ତି ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି । ଏ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭବିଷ୍ୟତରେ ଶିକ୍ଷା ସହିତ ଅନେକ କ୍ଷେତ୍ରରେ ମଧ୍ୟ ନିଶ୍ଚିତ ରୂପେ ସଫଳତା ଅର୍ଜନ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.