
ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଏବେ ଠିକ୍ ନ ଥିବା ସାଧାରଣରେ ଆଲୋଚନା ହେଉଛି । ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ନିର୍ବାଚିତ ହୋଇଥିବା ବେଳେ ବିଭାଗର ସମସ୍ୟା ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ମୁଖିଆ ପ୍ରଶାସନିକ କାର୍ଯ୍ୟରେ ନୂଆ ହୋଇଥିବାର ସୁଯୋଗ ନେଇ ଜନୈକ ବରିଷ୍ଠ କିରାଣୀ ଅନୁଚିତ୍ ଅନୁଗ୍ରହ ପ୍ରାପ୍ତ ପୂର୍ବକ ମାଲେମାଲ ହେଉଥିବା ଅଭିଯୋଗ ହେଉଛି । କରିତକର୍ମା କିରାଣୀ ଜଣକ ଦୀର୍ଘ ବର୍ଷ ଧରି ଜିଲ୍ଲାରେ ନିଜର ଆସ୍ଥାନ ଜମାଇ ବସି ରହିଛନ୍ତି । କାର୍ଯ୍ୟାଳୟର ଅନ୍ୟ କିରାଣୀ ମାନେ ବିଭିନ୍ନ କାରଣରୁ ଏହି କରିତକର୍ମା କିରାଣୀ ଭଳି ବଡ ପାଟିଆ ନୁହଁନ୍ତି କି ଉପରେ ପଡି କହିବା ପ୍ରକୃତିର ନୁହଁନ୍ତି । ଏହି ପରିସ୍ଥିତିର ଫାଇଦା ଉଠାଇ ବରିଷ୍ଠ କିରାଣୀ ଜଣକ ଅନ୍ୟ କିରାଣୀମାନଙ୍କ ମନରେ ଏକ ଧାରଣା ସୃଷ୍ଟି କରିଛନ୍ତି ଯେ, ସେ ହିଁ ସବୁ ନିୟମ କାନୁନ ଜାଣିଛନ୍ତି । ପ୍ରକୃତରେ ବରିଷ୍ଠ କିରାଣୀ ଜଣକ କିଛି ଜାଣି ନ ଥିଲେ ମଧ୍ୟ ଅନ୍ୟମାନେ ଭାବି ନେଉଛନ୍ତି ଯେ, ସେ ହିଁ ସବୁ ଜାଣିଛନ୍ତି, ଆଉ ସବୁ କଥାରେ ତାଙ୍କ ଉପରେ ନିର୍ଭର କରୁଛନ୍ତି । ଆଉ ଏହାର ଫାଇଦା ନେଇ କିରାଣୀ ଜଣକ ଖେଳ କରୁଛନ୍ତି । ସମ୍ପୃକ୍ତ କିରାଣୀ ଜଣକ ରାଜଧାନୀ ନିକଟସ୍ଥ ବାସିନ୍ଦା । କାର୍ଯ୍ୟାଳୟରେ ସେ ବହୁ ଚିକ୍କଣ କଥା କହି ମହିଳା କର୍ମଚାରୀଙ୍କ ପୋଷ୍ଟିଂ ବଦଳି, ଛୁଟି ନିୟମିତ କରିବା ତଥା ବକେୟା ଦରମା କରାଇବା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥାଆନ୍ତି । ଏମିତି କି ଏ ବାବଦକୁ ଅଗ୍ରୀମ ନେଇ ପୁଣି କୋର୍ଟର ଆଶ୍ରୟ ନେବାକୁ ଉସୁକାଇ ଥାଆନ୍ତି । ଅପରପକ୍ଷେ ସେ ନା କୌଣସି କାମ କରନ୍ତି, ନା ପଇସା ଫେରାନ୍ତି । ଏହି ବାବୁ ଜଣକ ବହୁ ବର୍ଷ ହେଲା ଗୋଟିଏ ଚୌକିରେ ନିଜର ପତିଆରା ଜମାଇ ବସିଛନ୍ତି । ଚୌକି ମୋହ ତାଙ୍କୁ ଏମିତି ଘାରିଛି ଯେ, ଯେବେ ବି ତାଙ୍କର ଅନ୍ୟ କୌଣସି ବିଭାଗକୁ ବଦଳି ହୋଇଥାଏ, ସେ ମହିଳା କର୍ମଚାରୀ ସଂଘକୁ ଧରି ପୁଣି ନିଜ ଆସନ ଅକ୍ତିଆର କରିନିଅନ୍ତି । ଏପରିକି ସଂଘର କିଛି ପ୍ରଭାବଶାଳୀ ସଦସ୍ୟାଙ୍କ ସହିତ ତାଙ୍କର ଅତି ନିବିଡ ସଂପର୍କ ରହିଥିବା ନେଇ ଚର୍ଚ୍ଚା ହେଉଛି । ସମ୍ପର୍କ ଏତେ ମଧୁର ଯେ ଅଫିସରୁ ଘରକୁ ମଧ୍ୟ ଅବାଧ ଯାତାୟାତ ହୋଇଥାଏ । ବିଶେଷ କରି ବହୁ ବର୍ଷ ଧରି ତାଙ୍କ ପାଖରେ ରହି ଆସିଥିବା ମାଡାମ୍ ଜଣକ ନିଜ ଅପାରଗତା ଲୁଚାଇବାକୁ ଯାଇ ବାବୁ ଜଣକୁ ଭିତିରିଆ ସମର୍ଥନ କରି ନିଜ ଚୌକି ମାଡି ବସିବାରେ ସାହାଯ୍ୟ କରନ୍ତି । କୌଣସି ନେତା ଅଥବା ମନ୍ତ୍ରୀ କିମ୍ବା ବିଭାଗୀୟ ଜିଲ୍ଲା ମୁଖିଆ ତାଙ୍କୁ କିଛି କରିବାକୁ କହିଲେ ଏ କିରାଣୀ ଜଣକ ଏପରି ଓଲଟା ଜ୍ଞାନ ଦିଅନ୍ତି ଯେ, ଅନେକ ସମୟରେ ବିଭାଗୀୟ ଅଧିକାରୀ ହଟହଟା ହେଉଛନ୍ତି । ଏ କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗର ଛବି ମଳିନ ହେବା ସହିତ ବିଭାଗୀୟ ମୁଖ୍ୟ ବଦନାମ ମୁଣ୍ଡାଉଛନ୍ତି । ଦୀର୍ଘବର୍ଷ ଧରି ଗୋଟିଏ ଜାଗାରେ ରହି ଚୌକି ମୋହ ଛାଡ଼ି ପାରୁ ନଥିବା କରିତକର୍ମା କିରାଣୀଙ୍କୁ ଜିଲ୍ଲା ବାହାରକୁ ବଦଳି କରିବା ସକାଶେ ସ୍ୱାସ୍ଥ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ କର୍ମଚାରୀ ମହଲରେ ଦାବି ହେଉଛି ।