jayashree

ପଥର ବ୍ଲାଷ୍ଟିଂ ବିରୁଦ୍ଧରେ ଗ୍ରାମବାସୀଙ୍କ ଅଭିଯୋଗ

  • ଅଭିଯୋଗ ପରେ ମଧ୍ୟ ତତ୍ପରତା ଦେଖାଉ ନାହିଁ ପ୍ରଶାସନ – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଉପରବାହାଲ ପଂଚାୟତର ଉଚ୍ଛବପାଲି ଠାରେ ପଥରକୁଆରି ବ୍ଲାଷ୍ଟିଂ ଯୋଗୁଁ ଚାଷୀ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି । ଏହାକୁ ନେଇ କିଛି ବର୍ଷ ପୂର୍ବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଅଭିଯୋଗ କରିଥିଲେ ଗ୍ରାମବାସୀ । ତତ୍‌କାଳୀନ ଉପଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧରେ ଅଭିଯୋଗ ଓ ଅବଗତ କରାଯାଇଥିଲା । କିଛି ମାସ ପଥର ବ୍ଲାଷ୍ଟିଂ କାମ ବନ୍ଦ ହୋଇଥିଲା କିନ୍ତୁ ପୁଣି ତିନି ଚାରି ବର୍ଷ ହେବ ଏ ଅଂଚଳରେ ପଥରକୁଆରି ବ୍ଲାଷ୍ଟିଂରେ ଲିଜଧାରୀଙ୍କ ଦ୍ୱାରା ପଥର ଖନନ ପାଇଁ ବ୍ଲାଷ୍ଟିଂ ଯୋଗୁଁ ସ୍ଥାନୀୟ ଲୋକେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଚାଷ ଜମି ଗୁଡିକରେ ପଥର ପଡୁଥିବାରୁ ଚାଷ ନଷ୍ଟ ହେବା ସହିତ ଚାଷ କାମ ପାଇଁ ଜମିକୁ ଯିବା ପାଇଁ ଚାଷୀମାନେ ଡରୁଛନ୍ତି । ଏହାକୁ ନେଇ ଉପରବାହାଲ ପଂଚାୟତର ଉଚ୍ଛବପାଲି ଓ ଉପରବାହାଲରୁ ଚାଷୀ ଓ ଗ୍ରାମବାସୀମାନେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ପାଖକୁ ପୁଣିଥରେ ଆସି ଅଭିଯୋଗ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ଚାଷ ଜମି ନଷ୍ଟ ହେବା ସହ ସେଠାକାର ରାସ୍ତା ତଥା ବାସଗୃହ ଗୁଡିକ ଭୟଙ୍କର ବିସ୍ପୋରଣ ପ୍ରଭାବରେ କାନ୍ଥ ଗୁଡିକ ଚିରି ହୋଇଯାଉଛି । ଛୋଟ ଛୋଟ ଛୁଆମାନେ ସ୍କୁଲକୁ ଯିବା ପାଇଁ ଡରୁଛନ୍ତି । ତେଣୁ ଏହାର ଶୀଘ୍ର ସମାଧାନ ପାଇଁ ସେମାନେ ଗୁହାରି କରିଥିଲେ । ଏହାର ପ୍ରତିକ୍ରିୟାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ, ଏଭଳି ଅସୁବିଧାର ସମାଧାନ ଦିଗରେ ପ୍ରଶାସନ ସମ୍ବେଦନଶୀଳତା ଦେଖାଇବା କଥା । ଅଭିଯୋଗ ପାଇଲା ପରେ ମଧ୍ୟ ପ୍ରଶାସନ ସମାଧାନ ଦିଗରେ ତତ୍ପରତା ନ ଦେଖାଇବା ଦୁର୍ଭାଗ୍ୟଜନକ । ରାଜସ୍ୱ ଆଦାୟ ପାଇଁ କୌଣସି ମତେ ମଧ୍ୟ ଚାଷୀ ଓ ଲୋକଙ୍କ ଜୀବନକୁ ନେଇ ପ୍ରଶାସନ ଖେଳିବା ଉଚିତ ନୁହେଁ । ତେଣୁ ଏହି କୁଆରି ଗୁଡିକ ପଥର ବ୍ଲାଷ୍ଟିଂ ବନ୍ଦ କରିବା ପାଇଁ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବା ଉଚିତ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଚ୍ଛବପାଲିର ସୁରେଶ ବେହେରା, କିରନ ବେହେରା, ସରୋଜ ପାତ୍ର, ଆନନ୍ଦ ପାତ୍ର, ଅରୁଣ ପାତ୍ର, ଉପରବାହାଲର ବାସୁଦେବ ପ୍ରଧାନ, ରାମଦାଶ ଭୋଇ, ରବିନ୍ଦ୍ର ବିଶ୍ୱାଳ, ବିରଂଚି ପ୍ରଧାନ, ଚକାମନ ବିଶ୍ୱାଳ, ଫକିିର ବିଶ୍ୱାଳ ଏବଂ ମାଗୁରବେଡା ସରପଂଚ ସଂଜୟ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.