om academy

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

jsm
  • ସଂଗ୍ରହାଳୟକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ପ୍ରୟାସ ଜାରି ରହିବ : ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ଆଜି ଅପରାହ୍ନରେ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଉଦ୍‌ଘାଟକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ କିପରି ଭାବରେ ବିଶ୍ଵସ୍ତରୀୟ ସଂଗ୍ରହାଳୟରେ ପରିଣତ କରାଯାଇପାରିବ ସେ ସମ୍ବନ୍ଧରେ ଅତିରିକ୍ତ ମୁଖ୍ୟଶାସନ ସଚିବ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଯୋଗଦେଇ ରାଜ୍ୟ ସଂଗ୍ରହାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାଗ୍ୟଲିପି ମଲ୍ଲ ଉପସ୍ଥିତ ଥିଲେ ।
ଏହି ଉପଲକ୍ଷେ ସଂଗ୍ରହାଳୟରେ ଟେରାକୋଟା ପ୍ରଦର୍ଶନୀ “ସଂସ୍କୃତି ଯାତ୍ରା” ଉଦ୍‌ଘାଟିତ ହୋଇଥିଲା ଏବଂ ବରିଷ୍ଠ ନାଗରିକଙ୍କ ବିଶ୍ରାମ କକ୍ଷ ଲୋକାର୍ପିତ ହୋଇଥିଲା । ଆହୁରି ମଧ୍ୟ ଓଡିଶା ଐତିହ୍ୟ ଜର୍ଣ୍ଣାଲ ଓ ପ୍ରତ୍ନତତ୍ତ୍ୱ କାଟଲଗ ଏବଂ ପାଇକ ବିଦ୍ରୋହର ଇଂରାଜୀ ଭାଷାନ୍ତର ଉନ୍ମୋଚିତ ହୋଇଥିଲା । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ପୁରାତନ ନାଟକ “ପ୍ରହଲ୍ଲାଦ” ପରିବେଷିତ ହୋଇଥିଲା । ଏହି ଅବସରରେ ଏଠାରେ ୧୦ ଜଣ ଜାତୀୟ ସ୍ତରର ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା ଶିବିର ଆୟୋଜିତ ହୋଇଥିଲା । ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ରାଜ୍ୟ ସଂଗ୍ରହାଳୟକୁ ପ୍ରବେଶ ଦେୟମୁକ୍ତ ଥିବାରୁ ଏଠାକୁ ପ୍ରାୟ ଦଶ ହଜାରରୁ ଅଧିକ ଦର୍ଶକ ପରିଭ୍ରମଣ କରି ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିଥିଲେ ।

Leave A Reply

Your email address will not be published.