ଲାଇଟ୍, ସାଉଣ୍ଡ ଏବଂ ଟେଣ୍ଟ ଆସୋସିଏସନ୍‌ର ସାମୁହିକ ମିଳନ ଅନୁଷ୍ଠିତ

ଟିଟିଲାଗଡ , (ଗୌରବ ଦର୍ଜୀ) : କୋରୋନା ମହାମାରୀ ଦେଶର ସମସ୍ତ ବ୍ୟବସାୟୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । କୋରୋନା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲକ୍ ଡାଉନ୍ କରିବା ପରେ ଆରମ୍ଭ କରିଛନ୍ତି ଅନ୍‌ଲକ୍ ପ୍ରକ୍ରିୟା । ସେପ୍ଟେମ୍ବର ୧ ତାରିଖରୁ ଅନ୍‌ଲକ୍ ୫.୦ ଆରମ୍ଭ ହୋଇସାରିଛି । ଏଥିରେ ଅନେକ ବ୍ୟବସାୟ ଯେପରି ପାନ ଦୋକାନ, ଚା ଦୋକାନ, କପଡା ଦୋକାନ ପରି ଅନେକ ସବୁ ବ୍ୟବସାୟ ଉପରେ କଟକଣା ଉଠାଇ ଦେଇଛନ୍ତି । ବିବାହ, ବ୍ରତ ଉପରେ କୋଭିଡ଼୍‌ ଗାଇଡ ଲାଇନ ଜାରି କରି ଅନୁମତି ଦିଆଯାଉଛି । କିନ୍ତୁ ବିବାହ, ବ୍ରତରେ ବ୍ୟବହାର ହେଉଥିବା ଲାଇଟ୍, ଡିଜେ, ଟେଣ୍ଟ ଆଦି ଉପରେ ବର୍ତ୍ତମାନ ମଧ୍ୟ କଟକଣା ଲାଗୁ ରହିଛି । ତେଣୁ ଆଜି ଟିଟିଲାଗଡ ଅଞ୍ଚଳରେ ଥିବା ସମସ୍ତ ଲାଇଟ୍, ସାଉଣ୍ଡ ଏବଂ ଟେଣ୍ଟ ବ୍ୟବସାୟୀ ଏକତ୍ରୀତ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କିପରି କରାଯିବ, ସେ ସଂପର୍କରେ ଆଲୋଚନା କରିବାକୁ ଏକ ବୈଠକ ଟିଟିଲାଗଡ କୁମୁଡା ପାହାଡ ନିକଟରେ ଆୟୋଜନ କରିଥିଲେ ।

ଏଥିରେ ସଂଘର ଅଧ୍ୟକ୍ଷ ଧୀରେନ୍ଦ୍ର ସାହୁ, ଉପାଧ୍ୟକ୍ଷ ରସିକ ପୋଢ଼, ସମ୍ପାଦକ ତ୍ରିଲୋଚନ ନାୟକ, ସହ ସମ୍ପାଦକ ମନୀଷ ସୁନା, କୋଷାଧ୍ୟକ୍ଷ ମୁରଲୀ ପୁଟେଲ, ଉପ କୋଷାଧ୍ୟକ୍ଷ ନାରାୟଣ ବଗର୍ତ୍ତୀ ଆଦି ଯୋଗ ଦେଇଥିଲେ । ଏହା ସହ ପରାମର୍ଶଦାତା ଭାବରେ ସିମନ୍ ଜାଲ, ଶଙ୍କର ଜାଲ, ବ୍ରହ୍ମାନନ୍ଦ ରଣା, ଅମୂଲ୍ୟ ମହାକୁର ଓ ଅନ୍ୟାନ୍ୟ ସଦସ୍ୟ ଭାବରେ ଟିଟିଲାଗଡର ବିଭିନ୍ନ ଟେଣ୍ଟ ମାଲିକ, ଲାଇଟ୍ ଓ ସାଉଣ୍ଡ ମାଲିକ ମାନେ ଯୋଗ ଦେଇ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ । ଏହି କାମରେ ମାଲିକମାନେ ନିଜ ପରିବାରର ଭରଣପୋଷଣ କରିିବା ସହ ତାଙ୍କ ପାଖରେ କାମ କରୁଥିବା ପିଲାମାନଙ୍କ ଭରଣପୋଷଣ କରୁଥିଲେ । କିନ୍ତୁ ବର୍ତ୍ତମାନ ସବୁ ବନ୍ଦ ପଡ଼ିଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ସରକାର ସମସ୍ତଙ୍କୁ କିଛି ନା କିଛି ଆର୍ଥିକ ସହାୟତା ଦେବା ସହ କୌଣସି ନିୟମ ଲାଗୁକରି ବ୍ୟବସାୟ କରିବାକୁ ଅନୁମତି ଦେଉଥିବା ବେଳେ ଏହି ଲାଇଟ୍, ସାଉଣ୍ଡ ଏବଂ ଟେଣ୍ଟ ବ୍ୟବସାୟୀଙ୍କ ପ୍ରତି କାହିଁକି ଦୃଷ୍ଟି ଦିଆ ଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେମାନେ ଲକ୍ଷ ଲକ୍ଷ ଟଙ୍କା ଋଣ ଆଣି ବ୍ୟବସାୟରେ ଲଗାଇଥିବା ବେଳେ ବର୍ତ୍ତମାନ ଏହା ସବୁ ସାମାନ ବେକାର ପଡ଼ି ରହିଛି । ଏହା ସହ ସମସ୍ତେ ମିଶି ଏକ ସଂଘ ଗଠନ କଲେ କେଉଁ କେଉଁ ଲାଭ ହେବ ଏବଂ ଜଣେ ଅନ୍ୟ ଜଣକୁ ସହାୟତା କରିପାରିବେ ବୋଲି ଆଲୋଚନା କରିଛନ୍ତି । ଯଥାଶୀଘ୍ର ତାଙ୍କ ସଂଘର ପଞ୍ଜିକରଣ କରାଯିବ ବୋଲି ସୂଚନା ଦେବା ସହ ସରକାରଙ୍କ ଠାରେ ତାଙ୍କ ବ୍ୟବସାୟ ପ୍ରତି ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.