jayashree

ପୋଡମପେଟା ଜନବସତି କ୍ଷେୟ, ସମୁଦ୍ର କୂଳ ଲଂଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ ବୁଲି ଦେଖିଲେ ବିଜେଡି ନେତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ତା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଳିବନ୍ଦ ପଞ୍ଚାୟତ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଅଶାନ୍ତ ସମୁଦ୍ର ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ ଗତିରେ ଅବକ୍ଷୟ ହେବାରେ ଲାଗିଛି । ବିଶେଷ କରି ସମୁଦ୍ର ଉଚ୍ଚ ଜୁଆର ମାଡ଼ରେ ପୋଡ଼ମ ପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ଗର୍ଭକୁ ଲୀନ ହେବାକୁ ଲାଗୁଛି । ଆଉ କିଛି ଦିନ ମଧ୍ୟରେ ସମୁଦ୍ର ଲହଡି ଜନ ବସତି ଆଡକୁ ମାଡି ଆସିବ । ସଂକେତ ମିଳି ସାରିଲାଣି । ତାହା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନର ତତ୍ପରତା ପାଇବା ସହ ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଏନେଇ ଗୁରୁବାର ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ପୋଡ଼ମପେଟା ଯାଇ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରିବା ସହ ସମୁଦ୍ର ଉପକୂଳବର୍ତ୍ତୀ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ବ୍ଲକ ସଭାପତି ରଞ୍ଜନ ପଲାଇ, ଏନ୍‌ଏସି ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ବିଜେଡି ବରିଷ୍ଠ ନେତା ସୁଦାମ ଚରଣ ଜେନା, ଏନ୍‌ଏସି ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକି, ଯୁବନେତା ରଞ୍ଜିତ ପଲାଇ, ବ୍ଲକ ସମ୍ପାଦକ ଉମା ସ୍ୱାଇଁ, ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ । ଏସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉପକୂଳ ଅଧିବାସୀଙ୍କ ଜନଜୀବନ ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପୂର୍ବତନ ବିଧାୟକ ସୁବାଷ ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ବିଶେଷ କରି ଗୋଖରକୁଦା ଠାରୁ ବଟେଶ୍ୱର ମନ୍ଦିର ବେଳାଭୂମି ପର୍ଯ୍ୟନ୍ତ ବେଳାଭୂମି ଅବକ୍ଷେୟ ହେଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ବେଳାଭୂମି ନଷ୍ଟ ହେବା ସହ ବଟେଶ୍ୱର ଠାରୁ ସମୁଦ୍ର କୂଳକୁ ସଂଯୋଗ ରାସ୍ତା ବି ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗି ଗଲାଣି । ଏଥିପାଇଁ ସମୁଦ୍ର ଉପକୂଳ ତଟବର୍ତ୍ତୀ ଅଂଚଳରେ ବସବାସ କରୁଥିବା ଜନବସତିର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.