ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାମ ଜୋର୍ସୋର୍ରେ ଚାଲୁ ରହିଛି । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଏୟାରପୋର୍ଟ ଉପଦେଷ୍ଟା ସୁରେଶ କୁମାର ହୋତାଙ୍କ ସହିତ ଏକ ଯାଞ୍ଚ ଦଳ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିଦର୍ଶନ କରି ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏହାକୁ କିପରି ୧୨୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ଏକ ପୂର୍ଣ୍ଣ ବିମାନବନ୍ଦର ଭାବେ କାର୍ଯ୍ୟକ୍ଷମ କରିହେବ, ସେଥିପାଇଁ ମନ୍ତ୍ରୀ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ ଏକ ରାସ୍ତା ବିମାନବନ୍ଦର ସମ୍ପ୍ରସାରଣରେ ବ୍ୟବହାର ନକରି ଅନ୍ୟ ଦିଗରେ କିପରି କରିହେବ ତାହା ମଧ୍ୟ ଅନୁଧ୍ୟାନ କରିଥିଲେ । ଏହି ସମୟରେ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ ଏବଂ କନିଷ୍ଠ ଯନ୍ତ୍ରୀ ତଥା ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ । ବିମାନବନ୍ଦରଟି କାର୍ଯ୍ୟକ୍ଷମ ହେଲେ ଗଞ୍ଜାମବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହୋଇପାରିବ ବୋଲି ସାଧାରଣରେ ପ୍ରତିକ୍ରିୟା ଆସିଛି ।