
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଇସଲାମ ଧର୍ମର ପ୍ରତିଷ୍ଠାତା ତଥା ଶେଷ ପାଗବର (ଦୂତ) ହଜରତ ମହମ୍ମଦଙ୍କ ଜନ୍ମଦିନ । ଏହି ଦିନଟିକୁ ମହମ୍ମଦଙ୍କ ଜନ୍ମ ଉତ୍ସବ ଭାବେ ପାଳନ କରାଯାଏ । ଇସଲାମୀ ଚନ୍ଦ୍ର କ୍ୟାଲେଣ୍ଡରର ତୃତୀୟ ମାସ ‘ରବି-ଉଲ୍-ଅୱଲ୍’ର ୧୨ ତାରିଖ ଦିନ ଏହା ପାଳନ ହୁଏ । ଏହି ପର୍ବ ଶାନ୍ତି, ଦୟା, ଭାଇଚାରା ଏବଂ ମାନବତାର ବାର୍ତ୍ତା ଦେଇଥାଏ । ଏହି ଦିବସକୁ ପାଳନ କରିବା ପାଇଁ ମସଜିଦ୍ ଓ ଘରଗୁଡ଼ିକୁ ସୁନ୍ଦର ଭାବେ ଆଲୋକମାଳାରେ ସଜ୍ଜା ଯାଇଥାଏ । ଏହି ପରୀପ୍ରେକ୍ଷୀରେ ଆଜି ସକାଳୁ ୧୦ ଟା ସମୟରେ ସହରରେ ଏକ ବିରାଟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା (ଜୁଲୁସ୍) ବାହାରି ସହର ପରିକ୍ରମା କରି ପୁଣି ମସଜିଦକୁ ଫେରିଥିଲେ । ଶୋଭାଯାତ୍ରା ସରିବା ପରେ ମସଜିଦରେ ମହମ୍ମଦଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଲୋଚନା ଏବଂ ପ୍ରାର୍ଥନା ଓ ଧାର୍ମିକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗରିବ ଓ ନିହାତି ଆବଶ୍ୟକ ଲୋକଙ୍କୁ ଖାଦ୍ୟ ଏବଂ ସହାୟତା ପ୍ରଦାନ କରାଯାଇଥାଏ ।