ମହିଳା ମହାବିଦ୍ୟାଳୟରେ ବୃତ୍ତି ପରାମର୍ଶ ସମ୍ପାନ

  • ‘ସାମ୍ବାଦିକତା କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ୱ ବଢୁଛି’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରର ପରିସୀମା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ମହିଳାମାନଙ୍କ ପାଇଁ ଅପର୍ଯ୍ୟାପ୍ତ ସୁଯୋଗ ଓ ସମ୍ଭାବନା ରହିଛି । ମହିଳାମାନେ ଏହି କ୍ଷେତ୍ରରେ ପ୍ରବେଶ କରୁଛନ୍ତି । ବୃତ୍ତିଗତ ଜୀବନରେ ଏହାକୁ ଜୀବିକା ଭାବେ ଗ୍ରହଣ କରୁଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ମହିଳାମାନଙ୍କ ଗୁରୁତ୍ୱ ବଢୁଛି ବୋଲି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଗତକାଲି ଅପରାହ୍ନରେ ଆୟୋଜିତ ‘ଗଣମାଧ୍ୟମରେ ମହିଳାଙ୍କ ଭୂମିକା ଓ ଭବିଷ୍ୟତ’ ଶୀର୍ଷକ ବୃତ୍ତି ପରାମର୍ଶ ସମ୍ପାନରେ ମୁଖ୍ୟବକ୍ତା ଭାବେ ଯୁବ ସାମ୍ବାଦିକ ବିଭୁକଲ୍ୟାଣ ଗଡ଼ତ୍ୟା ଯୋଗ ଦେଇ କହିଛନ୍ତି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋରଂଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ସଲୋମନ କୁମାର, ସଂସ୍କୃତ ଅଧ୍ୟାପକ ସଦାଶିବ ମଲ୍ଲିକ ମଞ୍ଚାସୀନ ହୋଇଥିଲେ । ଇଂରାଜୀ ଅଧ୍ୟାପକ ଶ୍ରୀ କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଯୁବ ସାମ୍ବାଦିକ ଶ୍ରୀ ଗଡ଼ତ୍ୟା ନିଜ ସାମ୍ବାଦିକତା ଜୀବନର ସଂଘର୍ଷ ଓ ଜୀବନୀ ଉପସ୍ଥାପନ କରିବା ସହ ଦେଶ ତଥା ରାଜ୍ୟର ମହିଳା ସାମ୍ବାଦିକାମାନଙ୍କ ଉଦାହରଣ ରଖିଥିଲେ । ସାମ୍ବାଦିକ ଓ ଗଣଯୋଗ ପାଠ୍ୟକ୍ରମ ପାଇଁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ଭାରତୀୟ ଜନ ସଞ୍ଚାର ସଂସ୍ଥା ସ୍ଥାପନ କରାଯାଇଥିବା ବେଳେ ଏହାର ଚାହିଦାକୁ ଆଖି ଆଗରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଭାବେ ଶିକ୍ଷା ପ୍ରଦାନ କରାଯାଉଛି । ଏହା ସହ ଛାତ୍ରୀମାନଙ୍କୁ ସାମ୍ବାଦିକତା କ୍ଷେତ୍ରରେ ମହିଳା ସାମ୍ବାଦିକତାଙ୍କ ଭୂମିକା ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ଦ୍ୱାରା ଛାତ୍ରୀଙ୍କ ଭବିଷ୍ୟତ ଗଢି ତୋଳିବାରେ ସହାୟକ ହେଉଥିବା ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ହେମନ୍ତ ମଲ୍ଲିକ, ଅଜିତ୍‌ ପଣ୍ଡା, ପ୍ରକାଶ ସୋରେନ, ଅଧ୍ୟାପିକା ରାନ୍ଥୀ ତୀର୍କୀ ଓ ସୁଷମା ମୋଦୀ ଉପସ୍ଥିତ ଥିବା ବେଳେ ଯୁକ୍ତ ଦୁଇ, ଯୁକ୍ତ ତିନି ବର୍ଷର ଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.