ବିଜେଡ଼ି ପକ୍ଷରୁ ବଲାଙ୍ଗିର ସଂକଳ୍ପ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେନ୍‌ବୋ ମେରେଜ୍ ପେଲେସ୍‌ ଠାରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସଂକଳ୍ପ ସମ୍ମିଳନୀର ଆୟୋଜନ କରିଥିଲେ । ପ୍ରାୟ ଏକ ହଜାରରୁ ଅଧିକ ପ୍ରତି ବର୍ଗର ଲୋକ ଉପସ୍ଥିତ ରହି କଳିକେଶଙ୍କ ସଂକଳ୍ପକୁ ଶୁଣିଛନ୍ତି । ଏହି ସମ୍ମିଳନୀରେ ବଲାଙ୍ଗିର ସହରର ଅଗ୍ରଣୀ ଅନୁଷ୍ଠାନ, ମାନ୍ୟଗଣ୍ୟ ବ୍ୟକ୍ତି ସମୁହ ନିମନ୍ତ୍ରିତ ହୋଇ ଆସିଥିଲେ । ବଲାଙ୍ଗିର ସହରକୁ ଏକ ମଡେଲ୍‌ ସହରରେ ପରିଣତ କରିବାର ରୂପରେଖ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ କଳିକେଶ । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କଳିକେଶ ବଲାଙ୍ଗିର ସହରର ସର୍ବାଙ୍ଗୀନ ଉନ୍ନତି କରିବା ବିଷୟରେ ଏକ ସଂକଳ୍ପପତ୍ର – ୨୦୨୪ ଉନ୍ମୋଚନ କରିଥିଲେ । ଉନ୍ମୋଚିତ ସଂକଳ୍ପ ପତ୍ରରେ ବଲାଙ୍ଗିର ସହରକୁ ଏକ ମଡେଲ୍‌ ସହର ଭାବେ ପରିଗଣିତ କରିବା ପାଇଁ ଅନେକ ଯୋଜନା ଗୁଡ଼ିକ ସର୍ବସମ୍ମୁଖରେ ଉପସ୍ଥାପନ କରିଥିଲେ । ସେହି ଯୋଜନା ଗୁଡ଼ିକ ମଧ୍ୟରେ ବଲାଙ୍ଗିର ସହରକୁ ଜିରୋ ଟଲ୍‌ରେନ୍ସ କ୍ରାଇମ୍ ଜୋନ୍‌ରେ ପରିଣତ କରିବା, କ୍ରାଇମ୍ କଣ୍ଟ୍ରୋଲ ପାଇଁ ପ୍ରତି ୱାର୍ଡରେ ସିସିଟିଭି କ୍ୟାମେରା ଲଗାଯିବା, ଉନ୍ନତ ମାନର ଷ୍ଟ୍ରିଟ ଲାଇଟ୍ ସହ ୨୪୭ ଜରୁରୀକାଳୀନ ହେଲ୍ପ ଲାଇନ୍‌ ନମ୍ବର ଯୋଗେ ସମସ୍ତ ଜରୁରୀ ଆବଶ୍ୟକତା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଓ ଅଭିଯୋଗର ସମାଧାନ କରାଯିବା ସାମିଲ୍‌ ରହିଛି । କୋଶଲାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଭାଷାକୁ ଅଷ୍ଟମ ଅନୁସୂଚୀରେ ସ୍ଥାନିତ କରିବା, କୋଶଳ କଳା ମହୋତ୍ସବ ଆୟୋଜନ କରିବା, କୋଶଳ ସାଂସ୍କୃତିକ କେନ୍ଦ୍ର ସ୍ଥାପନ କରିବା, ସହରରେ ଥିବା ଧାର୍ମିକ ପୀଠ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନେଇ ଏକ ଟୁରିଜମ୍‌ ସର୍କିଟ ସ୍ଥାପନ କରିବା, ସ୍ୱାସ୍ଥ୍ୟ ସେବାକୁ ଆହୁରି ପ୍ରଶସ୍ତିକରଣ କରିବା, ୨୪ ଘଣ୍ଟା ସହରର ସମସ୍ତ ଘରକୁ ଶୁଦ୍ଧ ପାନୀୟ ଜଳ ସଂଯୋଗ, ପୋଖରୀ ଗୁଡ଼ିକର ପୁନଃରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ କରିବା, ଭିଜନ ଫୋରମ୍ ପ୍ରତିଷ୍ଠା, ପୌରପରିଷଦକୁ ପୌର କର୍ପୋରେସନ୍‌ କରିବା, ସହରରେ ମାଷ୍ଟର ଡ୍ରେନେଜ୍ ଯୋଜନା, ସମସ୍ତ ୱାର୍ଡରେ ପାର୍କ ନିର୍ମାଣ, ପଟ୍ଟାହୀନଙ୍କୁ ପଟ୍ଟା ପ୍ରଦାନ, ମେଧାବୀ ଛାତ୍ରୀମାନଙ୍କୁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ସାମିଲ କରିବା, ବଲାଙ୍ଗିର ସହରରେ ମହିଳାମାନଙ୍କ ମନୋରଂଜନ ପାଇଁ ମହିଳା କ୍ଳବ୍ ପ୍ରତିଷ୍ଠା କରିବା, ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟରେ ପାଠ୍ୟକ୍ରମ ବୃଦ୍ଧି, କେନ୍ଦ୍ରୀୟ ଡିଜିଟାଲ୍‌ ପାଠାଗାର ନିର୍ମାଣ, ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କେନ୍ଦ୍ର, ସମନ୍ୱିତ କ୍ରୀଡା ଭିତ୍ତିଭୂମିର ବିକାଶ, ବିମାନ ଯୋଗାଯୋଗ ଓ ବୈମାନିକ ତାଲିମ, ପ୍ରୟାଗରାଜ୍ ଓ ଦିଲ୍ଲୀ ପାଇଁ ସିଧାସଳଖ ରେଳ ସୁବିଧା, ବଲାଙ୍ଗିର ଖୋର୍ଦ୍ଧା ଲାଇନ୍ ସମ୍ପୂର୍ଣ୍ଣ କରିବା, କୃଷି ଅନୁସନ୍ଧାନ କେନ୍ଦ୍ର ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, କୃଷି ପାଇଁ ଦୁଇ ଥର ଜଳ ସେଚନ ବ୍ୟବସ୍ଥା, ସୂତା, କେନ୍ଦୁପତ୍ର ଓ ହସ୍ତତନ୍ତର ରପ୍ତାନିର ସୁବିଧା କରିବା, ସ୍ଥାନୀୟ ଉତ୍ପାଦନ ସାମଗ୍ରୀର ବିକ୍ରି ପାଇଁ ବ୍ୟବସାୟ ସହାୟତା କେନ୍ଦ୍ରର ପ୍ରତିଷ୍ଠା, ବୃତ୍ତିଗତ ତାଲିମ ସହ ସ୍ଥାନୀୟ ଯୁବକମାନଙ୍କୁ ସଶକ୍ତ କରି ସ୍ଥାନୀୟ ବ୍ୟବସାୟକୁ ସହାୟତା ଦିଆଯିବା, ଶିଳ୍ପ ପାର୍କ ସ୍ଥାପନ କରିବା, ଆମ୍ବେଦକର ଭବନ ନିର୍ମାଣ କରିବା, ସମସ୍ତ ସମ୍ପ୍ରଦାୟର ଅନୁଷ୍ଠାନକୁ ସହାୟତା ଦେବା, ଡ୍ରାଇଭର୍‌ ମାନଙ୍କ ପାଇଁ କାର୍ଯ୍ୟାଳୟ ସହ ଦୁର୍ଘଟଣାଜନିତ କ୍ଷୟକ୍ଷତି ପାଇଁ ବିମାର ସହାୟତା,ବରିଷ୍ଠ ଲୋକଙ୍କ ପାଇଁ ତୀର୍ଥ ଯାତ୍ରା, ବୁଲା ଗାଈ ଗୋରୁ, କୁକୁରଙ୍କ ପାଇଁ ଆଶ୍ରୟ ଗୃହ ନିର୍ମାଣ ତଥା ବୃକ୍ଷ ରୋପଣ କରାଯାଇ ବଲାଙ୍ଗିର ସହରକୁ ସବୁଜ ସୁନ୍ଦର ବଲାଙ୍ଗିର ଭାବରେ ପରିଣତ କରିବାକୁ ଉପସ୍ଥିତ ବଲାଙ୍ଗିର ସହରବାସୀଙ୍କ ସମ୍ମୁଖରେ କଳିକେଶ ନାରାୟଣ ସିଂଦେଓ ଦୃଢ଼ ସଂକଳ୍ପ ନେଇଥିଲେ ।

Leave A Reply

Your email address will not be published.

nineteen − thirteen =

error: Content is protected !!