- ପ୍ରଥମେ ବିଜେଡ଼ି ଓ ପରେ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ନିକଟସ୍ଥ ଘଣ୍ଟବାହାଲ ଖେଳ ପଡିଆରେ ଶୁକ୍ରବାର ମୁରିବାହାଲ ବ୍ଲକସ୍ତରୀୟ କଳାକାର ସଂଘ ପକ୍ଷରୁ ବ୍ଲକସ୍ତରୀୟ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସଭାସ୍ଥଳକୁ ପ୍ରଥମେ କଣ୍ଟାବାଞ୍ଜିର ବରିଷ୍ଠ ବିଜେଡ଼ି ନେତା ଅଜୟ ଦାସ, ଯୁବ ବିଜେଡ଼ି ବ୍ଲକ ସଭାପତି ଚିତ୍ତରଞ୍ଜନ ବାଗ ଓ ତାଙ୍କ ସମର୍ଥକ ପହଞ୍ଚି ରାଜ୍ୟ ସରକାର କଳାକାରମାନଙ୍କୁ ପ୍ରଦାନ କରୁଥିବା ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବିଷୟରେ ଉପସ୍ଥିତ କଳାକାରଙ୍କୁ ସୂଚିତ କରିଥିବା ବେଳେ ପରେ ବିଜେପି ପକ୍ଷରୁ ସାଂସଦଙ୍କ ସଭାରେ ଉପସ୍ଥିତିକୁ ନେଇ ରାଜନୀତି ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି । ମୁରିବାହାଲ ବ୍ଲକ କଳା ଓ ସଂସ୍କୃତି ସଂଘ ଉପସଭାପତି କୈଳାସ ଦଣ୍ଡସେନାଙ୍କ ସଭାପତିତ୍ୱରେ ତଥା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ କଳା ଓ କଳାକାର ବଞ୍ଚିଲେ ସଂସ୍କୃତି ବଞ୍ଚି ରହେ ବୋଲି ପ୍ରକାଶ କରିଥିଲେ । ବ୍ଲକ କଳାକାର ସଂଘକୁ ନିଜ ସାଂସଦ ଅନୁଦାନ ପାଣ୍ଠିରୁ ଦିଆଯାଇଥିବା ୫ଲକ୍ଷ ଟଙ୍କାର ଅନୁଦାନ କମ ହେଉଥିବାରୁ ମୁଁ କେନ୍ଦ୍ର ସଂସ୍କୃତି ବିଭାଗ ସହିତ ଅଧିକ ଅନୁଦାନ ପାଇଁ ଆଲେଚନା କରିବି ବୋଲି ସେ ଉପସ୍ଥିତ ବ୍ଲକର ସମସ୍ତ କଳାକାରଙ୍କୁ ପ୍ରତିଶୃତି ଦେଇଥିଲେ । ଏଥିରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବରିଷ୍ଠ ବିଜେପି ନେତା ଲକ୍ଷ୍ମଣ ବାଗ, ଜିଲ୍ଲା କଳା ଓ ସଂସ୍କୃତି ସଂଘ ଉପସଭାପତି ସୁଦାମ ବିଶି, ବରିଷ୍ଠ ସଞ୍ଚାର କଳାକାର ଫକିର ମୋହନ ପଧାନ ଓ ବ୍ଲକ କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ହେର୍ଣ୍ଣା ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କୁନି ମୃଦଙ୍ଗ ବାଦକ ତୁଷାର ସରାଫ, ଜାତୀୟ ପୁରସ୍କାରପ୍ରାପ୍ତ କଳାକାର ସୁଦର୍ଶନ ଦୀପ, ବରିଷ୍ଠ କଳାକାର ରାମରତନ ମେହେର, ପ୍ରଶାନ୍ତ ପସାୟତ, ସ୍ୱର୍ଗତ ଘନଶ୍ୟାମ ରାଜପଲିଆ, ସ୍ୱର୍ଗତ ମଧୁସୂଦନ ମହାନନ୍ଦ, ବ୍ରଜରାଜ ବାଗ, ସ୍ୱର୍ଗତ ସତ୍ୟନାରାୟଣ ଭୋଇ, ସ୍ୱର୍ଗତ ଦ୍ରବଡି ବାଗ, ଫକିର ମୋହନ ପଧାନ, ଜଗନ୍ନାଥ ମୁଦୁଲି, ମହେଶ୍ୱର ଜାଲ, କୁମାରୀ ବଗର୍ତ୍ତି, ଶଙ୍କର ତାଣ୍ଡି, କୃଷ୍ଣଚନ୍ଦ୍ର ଦାଶ, ଶିବ ପୁଟେଲ, ମନବୋଧ ବାଗ ଓ ଅଭିରାମ ମାଝୀଙ୍କୁ ସ୍ଵତନ୍ତ୍ର କଳାକାର ରୂପେ ସମ୍ମାନିତ କରାଯାଇଥିଲା । ଏଥିରେ ସାଧାରଣ ସମ୍ପାଦକ ଠିବୁ ବାଗଙ୍କ ସହ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତରୁ ଆସିଥିବା ଶତାଧିକ ବିଭିନ୍ନ ବର୍ଗର କଳାକାର ଯୋଗ ଦେଇଥିଲେ । ଶେଷରେ ବ୍ଲକ କଳା ଓ ସଂସ୍କୃତି ସଂଘ କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ହେର୍ଣ୍ଣା ଧନ୍ୟବାଦ ଦେଇଥିଲେ ।