
ରାଉରକେଲା, (ସସ୍ମିତା ପ୍ରଧାନ) : ୧୦ ଜୁନ ୨୦୨୬ ସୁନ୍ଦରଗଡ଼ ଜିଲ୍ଲା ଏବଂ ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୁଶ୍ରୀ ଦୀନା ଦସ୍ତଗୀର ଆଜି ନିକଟରେ ସମ୍ପନ୍ନ ହୋଇଥିବା ଅଣ୍ଡର-୧୮ ଏସିଆ କପ୍ ହକି ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଦୁଇଜଣ ଯୁବ ହକି ଖେଳାଳୀ ଅର୍ମାନ ଲାକ୍ରା (୧୬ ବର୍ଷ) ଏବଂ ସ୍ୱିଟି କୁଜୁର (୧୬ ବର୍ଷ)ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅର୍ମାନ ଲାକ୍ରା ଭାରତୀୟ ଅଣ୍ଡର-୧୮ ପୁରୁଷ ହକି ଦଳର ସଦସ୍ୟ ଭାବେ ଏସିଆ କପ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ସ୍ୱିଟି କୁଜୁର ଭାରତୀୟ ଅଣ୍ଡର-୧୮ ମହିଳା ହକି ଦଳର ଅଧିନାୟିକା ଭାବେ ଦଳକୁ ନେତୃତ୍ୱ ପ୍ରଦାନ କରି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଉଭୟ ଖେଳାଳୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ସେମାନଙ୍କର ଉଜ୍ଜ୍ୱଳ କ୍ରୀଡ଼ା ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଉଭୟ ଖେଳାଳୀ ରାଉରକେଲାସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ହୋଇଥିବାରୁ ସେମାନଙ୍କର ଏହି ସଫଳତା ରାଜ୍ୟର କ୍ରୀଡ଼ା ପ୍ରଶିକ୍ଷଣ ବ୍ୟବସ୍ଥା ଓ ଖେଳାଳୀ ବିକାଶ କାର୍ଯ୍ୟକ୍ରମର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ପରିଗଣିତ ହୋଇଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଉଭୟ ଖେଳାଳୀଙ୍କୁ ସେମାନଙ୍କର କଠିନ ପରିଶ୍ରମ, ଶୃଙ୍ଖଳାବଦ୍ଧତା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ଦେଶ ଓ ରାଜ୍ୟ ପାଇଁ ଆହୁରି ସଫଳତା ଆଣିବାକୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ କ୍ରୀଡ଼ା, ରାଉରକେଲା ସୁଦୀପ୍ତ କୁମାର ନାୟକ ଏବଂ ଡେପୁଟି କଲେକ୍ଟର ପ୍ରାରବ୍ଧା ବଡ଼ପଣ୍ଡା ମଧ୍ୟ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଖେଳାଳୀମାନଙ୍କ ସଫଳତା ପଛରେ ଥିବା ପ୍ରଶିକ୍ଷକ, ସହାୟକ କର୍ମଚାରୀ, ଅଭିଭାବକ ଏବଂ କ୍ରୀଡ଼ା ସଂସ୍ଥାଗୁଡ଼ିକର ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା ।