
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଡ଼ମାଲସ୍ଥିତ ଗୋଳାବାରୁଦ କାରଖାନା ପରିସରରେ ଆରମ୍ଭ ହୋଇଛି ଚତୁର୍ଥ ଏମ୍ଆଇଏଲ୍ ଫୁଟବଲ ଚାମ୍ପିଅନସିପ। ଏହି ପ୍ରତିଯୋଗିତାକୁ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ବିଭୂତି ଭୂଷଣ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଏମ୍ଆଇଏଲ୍ ସ୍ପୋର୍ଟସ ପ୍ରମୋଶନ ବୋର୍ଡର ପତାକା ଉତ୍ତୋଳନ କରିବା ସହ ମାର୍ଚ୍ଚପାଷ୍ଟରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦଳର ଖେଳାଳିଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ ପଟେଲ ଖେଳର ଗୁରୁତ୍ୱ ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଖେଳ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ଶୃଙ୍ଖଳା, ଏକତା ଓ ଦଳଗତ ମନୋଭାବ ବୃଦ୍ଧିରେ ସହାୟକ ବୋଲି ସେ କହିଥିଲେ। ଏଥିସହ ଖେଳୁଆଡ଼ ମନୋଭାବ ବଜାୟ ରଖି ପ୍ରତିଯୋଗିତାରେ ନିଜ ନିଜର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବାକୁ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।