jayashree

୪୮ ଘଣ୍ଟା ମଧ୍ୟରେ ଚୋରି ଘଟଣାର ପର୍ଦ୍ଦାଫାଶ : ୨୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ହାଟପଦା ପଡ଼ା ୧୪ ନମ୍ବର ୱାର୍ଡର ବାସିନ୍ଦା ଅବଦୁଲ ଆକବର ଖାନ (୫୮) ଗତ ୮ ଜୁନ ୨୦୨୬ ତାରିଖରେ ସଇଁନ୍ତଲା ଥାନା ଅନ୍ତର୍ଗତ କରମତଲା ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ଘରେ ଚୋରି ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ କିଛି ଅଜଣା ଦୁର୍ବୃତ୍ତ ଘରେ ପଶି ସୁନା ଗହଣା ସହ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିଲେ । ଏହି ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ମାମଲା ନଂ-୨୦୬, ତାରିଖ ୦୮.୦୬.୨୦୨୬, ଧାରା ୩୩୧(୩)/୩୦୫(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଥାନାଧିକାରୀ ମନୋଜ କୁମାର ମୁଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ତଦନ୍ତ ସମୟରେ ଚୋରି ଘଟଣାରେ ଦୁଇ ଜଣଙ୍କ ସମ୍ପୃକ୍ତତା ପ୍ରମାଣିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଦରଲୋ ଗ୍ରାମର ଅଙ୍ଗଦ ରଣା (୨୨) ହୋଇଥିବା ବେଳେ ଅନ୍ୟ ଜଣେ ନାବାଳକ ଅଟନ୍ତି । ଉଭୟଙ୍କୁ ଅଟକ ରଖି ପଚରାଉଚରା କରାଯିବା ପରେ ସେମାନେ ଚୋରି ଘଟଣାରେ ନିଜ ସମ୍ପୃକ୍ତତା ସ୍ୱୀକାର କରିଥିଲେ । ସେମାନଙ୍କ ଠାରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରାଯାଇଛି । ପୋଲିସ ପ୍ରାୟ ୩୮ ଗ୍ରାମ ଓଜନର ପୁରୁଣା ସୁନା ଅଳଙ୍କାର ଉଦ୍ଧାର କରିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା । ଉଦ୍ଧାର ସାମଗ୍ରୀ ମଧ୍ୟରେ ସୁନା ହାର, ମାଙ୍ଗଟିକା, ବାହୁଟି, ମୁଦି, କାନଫୁଲ, ଲକେଟ, ସୁନା ମୁଦ୍ରା ସଦୃଶ ଖଣ୍ଡ ଓ ଅନ୍ୟାନ୍ୟ ଗହଣା ରହିଛି । ଏହା ସହ ଅପରାଧରେ ବ୍ୟବହୃତ ଏକ ପଲସର ମୋଟରସାଇକେଲ୍ ଏବଂ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଏହି ସଫଳ ଅଭିଯାନରେ ଥାନାଧିକାରୀ ମନୋଜ କୁମାର ମୁଣ୍ଡାଙ୍କ ସମେତ ଏସ୍‌ଆଇ କେ.କେ. ଜାନି, ପି.କେ. ଦୁରିଆ, ଟି.ବି. କିଷାନ, ଏସ୍‌ଆଇ ଏସ୍‌. ରାଉତ, ଏଏସ୍‌ଆଇ କାର୍ତ୍ତିକ ପ୍ରଧାନ ଏବଂ ଟିଟିଲାଗଡ଼ ଥାନାର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ବୁଧବାର ଅପରାହ୍ନରେ ଟିଟିଲାଗଡ଼ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଏହି ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଅଭିଯୁକ୍ତମାନଙ୍କ ଗିରଫ ଓ ଚୋରି ସାମଗ୍ରୀ ଉଦ୍ଧାର ପରେ ମଧ୍ୟ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତତା ରହିଛି କି ନାହିଁ ସେନେଇ ଅଧିକ ତଦନ୍ତ ଜାରି ରହିଛି । ମାତ୍ର ୪୮ ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାଶ କରି ଚୋରି ହୋଇଥିବା ସମ୍ପତ୍ତି ଉଦ୍ଧାର କରିଥିବାରୁ ଅବଦୁଲ ଆକବର ଖାନଙ୍କ ପରିବାର ପକ୍ଷରୁ ଟିଟିଲାଗଡ଼ ପୋଲିସକୁ କୃତଜ୍ଞତା ଜଣାଯାଇଛି ।

Leave A Reply

Your email address will not be published.