
- ସାହିତ୍ୟ ଜାତୀୟ ଜୀବନର ସଂଜୀବନୀ
ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସଂସଦର ପ୍ରାଚୀନ ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରେମଭକ୍ତି ଓ କାବ୍ୟର ଅନନ୍ୟ ସ୍ରଷ୍ଟା ଅଭିମନ୍ୟୁ ସାମନ୍ତ ସିଂହାରଙ୍କ କାବ୍ୟକୃତି ସମ୍ପର୍କରେ ଏକ ଆଲୋଚନାଚକ୍ର ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ତଥା କାର୍ଯ୍ୟକ୍ରମର ଆବାହିକା ଶର୍ମିଷ୍ଠା କବି ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ଗୀତାଞ୍ଜଳି ପତ୍ରି ସଭାପତି ଓ ଆଲୋଚକ ଭାବେ କବି ରାଜୀବ ପାଣି ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ଆଲୋଚକ ଶ୍ରୀ ପାଣି ଏହି ଅବସରରେ କହିଲେ ଯେ, ସାହିତ୍ୟ ଜାତୀୟ ଜୀବନର ସଂଜୀବନୀ । ସାହିତ୍ୟ କେବଳ ଧର୍ମ ପାଇଁ ଉଦ୍ଦିଷ୍ଟ ନୁହେଁ । ଗୀତି ସାହିତ୍ୟରେ ସାଙ୍ଗତିକତା ଅନ୍ୟାନ୍ୟ । ଓଡ଼ିଆ ରୀତିଯୁଗୀୟ ସାହିତ୍ୟର ଜଣେ ଶ୍ରେଷ୍ଠ କବି ଅଭିମନ୍ୟୁ ସାମନ୍ତସିଂହାର । ସେ ଥିଲେ ପରମ ବୈଷ୍ଣବ । ତାଙ୍କର ବୈଷ୍ଣବୀୟ କାର୍ଯ୍ୟକଳାପ ତାଙ୍କ ଦୁର୍ଲ୍ଲଭ କାବ୍ୟକଳା ଓ ରସ-ଚେତନାରେ ପ୍ରତିଭାତ ହୋଇଛି । କବିଙ୍କ ବିଦଗ୍ଧ ଚିନ୍ତାମଣି ଏକ ସରସ ସୁନ୍ଦର ଓ ସୁମନୋହର କାବ୍ୟ । ତାଙ୍କ ଦ୍ୱାରା ସୃଷ୍ଟି ରଚନା ସମଗ୍ର ଓଡ଼ିଆ ସାରସ୍ୱତ ଭଣ୍ଡାରର ଅମୂଲ୍ୟ ରତ୍ନ । ଏହାସହ ସେ ବିଶୁଦ୍ଧ ଭକ୍ତି ଓ ଜ୍ଞାନମିଶ୍ର ଭକ୍ତି, ଅପ୍ରାକୃତିକ ପ୍ରେମ ତଥା କାବ୍ୟଗୁରୁ ଉପେନ୍ଦ୍ର ଭଞ୍ଜ ଓ ବାଲ୍ୟ ଗୁରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ଡାକ୍ତର ପତ୍ରି କହିଲେ ଯେ, ବିଦଗ୍ଧ କବି ଚିନ୍ତାମଣିଙ୍କ ଛାନ୍ଦରେ ଅଲଗା ଅଲଗା ରାଗ ଥିଲା । ତାଙ୍କର ସହଜ ସରଳ ଭାଷା ସମସ୍ତଙ୍କର ଗ୍ରହଣୀୟ ଥିଲା । ଆବାହିକା ଅଧ୍ୟକ୍ଷା କବି ଶତପଥୀ ପ୍ରାକ କଥନରେ କହିଲେ ଯେ, ପରପିଢ଼ିଙ୍କୁ ଅଧିକ ଜ୍ଞାନ ଦେବାପାଇଁ ଏଭଳି ପ୍ରୟାସ କରାଯାଉଛି । ଆମର ପୂର୍ବଜମାନେ ଏପରି ସୃଷ୍ଟି କରିଛନ୍ତି ଯାହାଙ୍କ ଶବ୍ଦ ସମ୍ଭାର, ତାର ଭାବ ଶୈଳୀ ବୁଝିବା ଦରକାର । କାରଣ କିଛି ଜାଣିଲେ ଆମେ ଅଧିକ ସଚେତନ ହୋଇପାରିବା । ଏହାସହ ପ୍ରତିମା, ପାଣ୍ଡିତ୍ୟ, ଅବିରତ ଚେଷ୍ଟା ଓ ସୃଜନଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶାଶ୍ୱତୀ ମହାପ୍ରଭୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡା. ସୁଶାନ୍ତ ପାଣି କବିଙ୍କ ଏକ କବିତାକୁ ଗାନ କରିଥିଲାବେଳେ ଏହି ବାଦ୍ୟରେ ସତ୍ୟ ନାରାୟଣ ପାଢ଼ୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଶ୍ରୀ ସଂଗୀତା ପାଣି ଓ ଅନ୍ୟମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, କବି, ସାହିତ୍ୟିକ ଯୋଗଦେଇଥିଲେ ।