ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ସାମ୍ୱାଦିକ ସମ୍ମିଳନୀ : ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦର ତୀବ୍ର ବିରୋଧ, ଅପେରା ବନ୍ଦ ପାଇଁ ଥାନାରେ ଦାବୀପତ୍ର ଦେଇ ଚେତାବନୀ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଅଭିନେତା ମନୋଜ ମିଶ୍ରଙ୍କୁ ଓଡିଶା ଫିଲ୍ମ ପ୍ରଯୋଜକ ସଂଘ ପକ୍ଷରୁ ୨ ବର୍ଷ ପାଇଁ ବାସନ୍ଦ କରିବା ପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇଛି । ଆଜି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଫରେଷ୍ଟ ଡାକ ବଙ୍ଗଳାଠାରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ପଶ୍ଚିମ ଓଡ଼ିଶାର ଭାଷା, କଳା ସଂସ୍କୃତି ଓ କଳାକାରମାନଙ୍କୁ ଅପମାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବହେଳିତ କୋଶଳାଞ୍ଚଳର ଅଭିନେତା ମନୋଜ ମିଶ୍ରଙ୍କ ସହ ଅନ୍ୟ କଳାକାରମାନଙ୍କୁ ଯେଉଁ ଭଳି ଅପମାନ କରାଗଲା ଏବଂ ତା ସହିତ ବାରମ୍ବାର ବିରୋଧ କରାଯାଉଛି ଏହାକୁ ଦୃଢ଼ ଭାବରେ ବିରୋଧ ସହ ଦରକାର ପଡ଼ିଲେ ଆଇନର ଆଶ୍ରୟ ନେବୁ ବୋଲି ଚେତାବନୀ ଦିଆଯାଇଛି । ଆଜି କେବଳ ମନୋଜ ମିଶ୍ରଙ୍କୁ ନୁହେଁ ପୂର୍ବରୁ ମଧ୍ୟ ବହୁ କଳାକାର ଆଞ୍ଚଳିକତାବାଦର ଶିକାର ହୋଇଥିବାର ଇତିହାସ ରହିଥିବା ଅଭିଯୋଗ ହୋଇଛି । ସବୁବେଳେ ନିଜର ଅଞ୍ଚଳ ଓ ଲୋକଙ୍କ ସ୍ୱାର୍ଥ ଲାଗି ସ୍ୱର ଉତ୍ତୋଳନ କରୁଥିବା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ ଏକ ଐତିହାସିକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ପଶ୍ଚିମ ଓଡ଼ିଶାର ଭାଷା ଓ ଆମ ଅଞ୍ଚଳର ଗର୍ବ ଓ ଗୌରବ ପଦ୍ମଶ୍ରୀ, କଳାକାରମାନଙ୍କୁ ପ୍ରଯୋଜକ ସଂଘ ପକ୍ଷରୁ ଓ ସୋସିଆଲ ମିଡିଆରେ କରାଯାଉଥିବା ଅପପ୍ରଚାରକୁ ଦୃଢ଼ ଭାବରେ ନିନ୍ଦା କରାଯାଇଥିଲା । କିଛିଦିନ ପରେ ମୁରିବାହାଲ ସମେତ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳର ଅପେରାଗୁଡ଼ିକୁ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଦୃଢ଼ ବିରୋଧ କରାଯିବ ବୋଲି ମୁରିବାହାଲ ଥାନା ପୁଲିସକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ସାମ୍ୱାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ଜିଲ୍ଲା ସଭାପତି ଜୟନ୍ତ କୁମାର ସାହୁ, ବ୍ଲକ ସଭାପତି ଖଗେଶ୍ୱର ପଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ବିଜୟାନନ୍ଦ ମହାକୁର, ବ୍ଲକ କୋଶଳ ସେନା ସଭାପତି ପ୍ରଭାକର ମାଝୀ, କଣ୍ଟାବାଞ୍ଜି ଗରିବ ସେନା ସଭାପତି ଦୀନେଶ ତାଣ୍ଡି, ଉପସଭାପତି ଯୁବରାଜ ମାଝୀ, ମକୁନ୍ଦ ବଗର୍ତ୍ତି, ମଣ୍ଟୁ ସାହୁ, ବଣ୍ଟି ଯାଦବ, ପ୍ରଶାନ୍ତ ମାହାର, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ରାଜୀବ କୁଅଁର ଓ ଦୁର୍ବାସନ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।