ରାଜ୍ୟ ସରକାରଙ୍କ କରୋନା ଯୋଦ୍ଧା ଆଖ୍ୟା ପାଇଥିବା ସାମ୍ବାଦିକଙ୍କୁ ଇଂଜେକସନ ଦେବାକୁ ମନା କଲେ ନର୍ସ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟ ସରକାର କାର୍ୟ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ସାରିଛନ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ପାଇଁ ଆଗୁଆ କରୋନା ଟିକା ଦେବା, ଆଇସୋଲେସନ୍‌ ବ୍ୟବସ୍ଥା ଏପରି ଅନେକ ପଦକ୍ଷେପ ମାନ ଗ୍ରହଣ କରି ସାରିଛନ୍ତି । ତଥାପି ଅନେକ ସ୍ଥାନରେ ସାମ୍ବାଦିକ ମାନଙ୍କୁ ହଇରାଣ କରାଯାଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିିଳିଛି । ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କୁ ଇଂଜେକସନ ଦେବାକୁ ମନା କରିଛନ୍ତ ଡାକ୍ତରଖାନାରେ କାର୍ୟ୍ୟରତ ନର୍ସ । ଅଭିଯୋଗ ଅନୁଯାୟୀ ଗତ ୨୧ ତାରିଖରୁ ପାଟଣାଗଡର କାର୍ୟ୍ୟରତ ସାମ୍ବାଦିକ ବିଜୟାନନ୍ଦ ଦାଶ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସତ ହେଉଥିଲେ ଏବଂ ୧୪ ଦିନ ଧରି ନିଜ ଘରେ ଆଇସୋଲସନ୍‌ରେ ରହିଥିଲେ । ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସିବା ପରେ ଗତ ୨ ତାରିଖ ଦିନ ପୁଣି ଥରେ କରୋନା ପରୀକ୍ଷା କରିଥିଲେ ଏବଂ ରେଜଲ୍ଟ ନେଗେଟିଭ୍‌ ବାହାରିଥିଲା । ତଥାପି ସେ ଦୁର୍ବଳ ଅନୁଭବ କରୁଥିବାରୁ ଆଜି ପାଟଣାଗଡ ଡାକ୍ତରଖାନାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ ଭିଟାମିନ ଇଂଜେକସନ ନେବାକୁ ଯାଇଥିଲେ । ହେଲେ ସେଠାରେ ଥିବା କାର୍ୟ୍ୟରତ ନର୍ସ ଜଣକ ତୁମେ କରୋନା ପଜିଟିଭ ଥିଲ ଏବଂ ତୁମକୁ ଇଂଜେକସନ ଦେଇ ପାରିବୁ ନାହିଁ ବୋଲି କହିଥିଲେ । ସାମ୍ବାଦିକ ଜଣକ କରୋନା ଟେଷ୍ଟ କରି ସାରିଛି ଏବଂ ନେଗେଟିଭ୍‌ ବାହାରିଛି ବୋଲି କହି ଇଂଜେକ୍‌ସନ ଦେବାକୁ ଅନୁରୋଧ କରିଥିଲେ ସୁଦ୍ଧା ଯଶୋଦା ଭୋଇ ନାମକ କାର୍ୟ୍ୟରତ ନର୍ସ ଇଂଜେକସନ ଦେବାକୁ ମନା କରିଦେଇଥିଲେ । ତାପରେ ବାଧ୍ୟ ହୋଇ ସେ ନିଜ ଘରକୁ ଫେରି ଆସିଥିଲେ । ଏ ଖବର ପାଇବା ପରେ ପାଟଣାଗଡର କେତେଜଣ ସାମ୍ବାଦିକ ଡାକ୍ତରଖାନା ସୁପରିଟେଣ୍ଡେଂଟ ଡ. ବାଚସ୍ପତି ଦାସଙ୍କୁ ଅଭିଯୋଗ କରିବା ପରେ ସେ ଏ ବିଷୟରେ ଅବଗତ ନାହାନ୍ତି ଏବଂ ନର୍ସ ମାନଙ୍କୁ ଏପରି କାମ ନକରିବାକୁ ତାଗିଦ୍‌ କରାଯିବ ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, କାର୍ୟ୍ୟରତ ନର୍ସମାନେ ଇଂଜେକସନ ଦେବାକୁ କିପରି ମନା କରୁଛନ୍ତି, ଯଦି ଜଣେ ରୋଗୀଙ୍କୁ ନର୍ସ ଇଂଜେକ୍ସନ ଦେବାକୁ ମନା କରୁଛନ୍ତି ଏବଂ ରୋଗୀର ଜୀବନ ଚାଲିଗଲା, ତେବେ ସେଥିପାଇଁ ଦାୟୀ କିଏ ରହିବ? ଅନ୍ୟ ପକ୍ଷରେ ପାଟଣାଗଡ ଡାକ୍ତରଖାନାରେରେ ଦୀର୍ଘ ୨୫/୩୦ ବର୍ଷ ହେବ ନର୍ସ ମାନେ କାର୍ୟ୍ୟରତ ଥିବାରୁ ସେମାନେ ଆଉ ଇନ୍ଦ୍ର ଚନ୍ଦ୍ର କାହାକୁ ଖାତିର କରୁନଥିବା ବୋଲି ଖୋଦ୍‌ ଡାକ୍ତରଖାନାର ସୁପରିଟେଣ୍ଡେଂଟ କହିଛନ୍ତି । ସେ ସେମାନଙ୍କୁ ଏଠାରୁ ବଦଳି କରିବାକୁ ଚାହୁଁଛନ୍ତି, ହେଲେ ଷ୍ଟାଫ ଅଭାବରୁ ବାଧ୍ୟ ହୋଇ ସେମାନଙ୍କୁ ରଖାଯାଇଛି ବୋଲି କହିଛନ୍ତି । ଏ ବାବଦରେ ସେ ସିଡିଏମଓଙ୍କ ସହିତ କଥା ହୋଇ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏଣୁ ଏ ଦିଗରେ ବଲାଙ୍ଗିର ଜିଲ୍ଲାପାଳ ଏବଂ ସିଡିଏମଓ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।

Leave A Reply

Your email address will not be published.

twenty + eighteen =

error: Content is protected !!