
- ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ
- ବିଜୁଳି, ପିଇବାପାଣି, ଭତ୍ତା ପ୍ରଦାନକୁ ନେଇ ଯତ୍ନବାନ ହେଉ ସରକାର – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚୁଡାପାଲି ଠାରେ ତୁଷୁରାବାହାଲ, କଙ୍କରା, ମାୟାବର୍ହା, ଭୁଣ୍ଡିମୁହାଣ ଓ ଡଙ୍ଗାଘାଟ ଇତ୍ୟାଦି ଗାଁର ଲୋକଙ୍କୁ ଭେଟି ଗାଁର ସମସ୍ୟା ସମ୍ପର୍କରେ ଅଭିଯୋଗ ଶୁଣିଛନ୍ତି । ବିଶେଷ କରି ତୁଷୁରାବାହାଲ ପଂଚାୟତର ଜିରାଟମାଲ ଠାରେ ଅନେକ ମାସ ହେବ ଏକ ପିଇବା ପାଣି ପ୍ରକଳ୍ପକୁ ବର୍ତ୍ତମାନର ବିଧାୟକ ଉଦ୍ଘାଟନ କରିଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେଠାକାର ଲୋକଙ୍କୁ ପିଇବା ପାଣି ଯୋଗାଣ ହୋଇ ନ ପାରି ନଥିବାରୁ ଲୋକେ ଘୋର ଅସନ୍ତୋଷର ସହ ଅଭିଯୋଗ କରିଥିଲେ । ଠିକ୍ ସେହିପରି ଡଙ୍ଗାଘାଟ ଠାରେ ବିଜୁଳି ସମସ୍ୟା ଯୋଗୁଁ ଉଠା ଜଳସେଚନ ସମ୍ଭବ ହୋଇପାରୁନାହିଁ । ଗ୍ରାମସଭାରେ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ହେଁ ବିଭାଗ ସେ ସବୁକୁ ଶୁଣୁନଥିବାର ଲୋକେ ଅଭିଯୋଗ କରିଥିଲେ । ବିଜୁଳିର ଲୋ ଭୋଲଟେଜ ସମସ୍ୟା ଏ ସମସ୍ତ ପଂଚାୟତରେ ଅତି ଉତ୍କଟ ରୂପ ନେଉଛି ତେଣୁ ଲୋକଙ୍କ ଦାବି ମୁତାବକ ଶ୍ରୀ ମିଶ୍ର ଏଠାକାର ବିଜୁଳି ତାର ଗୁଡିକୁ କେବୁଲରେ ପରିବର୍ତ୍ତନ କରିବା ସହ ଟ୍ରାନ୍ସଫରମରର କ୍ଷମତାକୁ ବଢାଇବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ କହିଥିଲେ । ବୁଡି ଅଂଚଳର ଅନେକ ଭୂମିହୀନ ଆଜି ପର୍ଯ୍ୟନ୍ତ ଜମି କିମ୍ବା ଟଙ୍କା କ୍ଷତିପୂରଣ ଆକାରରେ ପାଇନାହାନ୍ତି କିନ୍ତୁ ପ୍ରଶାସନ ସେମାନଙ୍କୁ ଜବରଦସ୍ତି ଉଚ୍ଛେଦ କରିବାରେ ଲାଗିଛି । ତେଣୁ ଏହି ଭୂମିହୀନମାନଙ୍କୁ ତାଙ୍କ କ୍ଷତିପୂରଣ ପ୍ରଦାନ ସହ ବିସ୍ଥାପିତ କରିବା ପାଇଁ ଶ୍ରୀ ମିଶ୍ର ବିଭାଗକୁ ଚିଠି ଲେଖିବେ ବୋଲି କହିଥିଲେ । ତୁଷୁରାବାହାଲ ଠାରେ ଏକ ଚେକଡ୍ୟାମ ନିର୍ମାଣ, ମାୟାବର୍ହା ପଂଚାୟତର ରାସ୍ତା ନିର୍ମାଣକୁ ନେଇ ଶ୍ରୀ ମିଶ୍ରଙ୍କୁ ଲୋକେ ଅନୁରୋଧ କରିଥିଲେ । ଭୁଣ୍ଡିମୁହାଣ ଠାରେ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରମାନଙ୍କ ପାଠ ପଢିବା ପାଇଁ କୌଣସି ସୁବିଧା ନଥିବା ଆଲୋଚନା ହୋଇଥିଲା । ଭୁଣ୍ଡିମୁହାଣ କଖାଲ ରାସ୍ତାରେ ଏକ ବ୍ରିଜ ଭାଙ୍ଗିଯାଇଥିବାରୁ ଲୋକେ ନିଜ ଚାଷ ଜମିକୁ ଚାଷ ପାଇଁ ଯାଇପାରୁନଥିବା ଅଭିଯୋଗ କରିଥିଲେ । ଏ ସବୁ ଶୁଣିବା ପରେ ଶ୍ରୀ ମିଶ୍ର ବିଜୁଳି ସମସ୍ୟାକୁ ନେଇ ବିଜୁଳି, ପାଣି, ବିଭିନ୍ନ ଯୋଜନାରେ ଭତ୍ତା ଓ ରାସ୍ତା ତଥା ସ୍କୁଲ ଗୃହ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ଏ ସମସ୍ତ ଅସୁବିଧା ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଉପସ୍ଥିତ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ଶ୍ରୀ ମିଶ୍ରଙ୍କ ସହ ଲୋକନାଥ କୁମୁରା, ଗୋବିନ୍ଦ ପଟେଲ, ଦୁଲଭ ପାଣ୍ଡେ, ପଙ୍କଜ ମଲ, ନିଳମଣି ଦଣ୍ଡସେନା, ଶୁସିଲ ବେହେରା, ସରପଂଚ ଦନାର୍ଦ୍ଦନ ମହାପାତ୍ର, ଧନେଶ୍ୱର ଦୀପ, ଘନ ବାରିକ, ଗିରିଧାରି ପୁଟା, ପଂଚାନନ ଘିବେଲା, ଉପେନ୍ଦ୍ର ବରିହା, ଭଗବାନ ମିର୍ଦ୍ଧା, ହେମସାଗର ପଟେଲ, ଶିଶିର ବାଗ, ରାଧେଶ୍ୟାମ ପୁଟେଲ, ସରପଂଚ ଭରତ ଛତ୍ରିଆ ଏବଂ କଂଗ୍ରେସ ନେତା ରାମପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।

