pakka

ବାରବନ୍ଧ ଗ୍ରାମରେ ମୋବାଇଲ୍ ନେଟୱାର୍କ ସମସ୍ୟା : ସାଧାରଣରେ ଅସନ୍ତୋଷ

bbehera
  • ୯ଶହ ଭୋଟରଙ୍କ ଭୋଟ ବର୍ଜନ ଚେତାବନୀ
  • ବିଡିଓଙ୍କୁ ଦାବିପତ୍ର ପ୍ରଦାନ
  • ମୋବାଇଲ ନେଟୱର୍କରୁ ବଞ୍ଚିତ ଅଞ୍ଚଳବାସୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ମୁଖ୍ୟ ରାଜସ୍ୱ ଗ୍ରାମ ବାରବନ୍ଧ ସହ ସୁକୁନିପଦର, ରାଣୀସିଲେଟ, ବେହେରାଖାଇ ଓ କୁଟନିଝରନ ଭଳି ଅଣରାଜସ୍ୱ ଗ୍ରାମଗୁଡିକରେ ମୋବାଇଲ୍ ନେଟୱାର୍କ ସମସ୍ୟା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଷୋହଳ ଶହ ଜନସଂଖ୍ୟା ତଥା ୯ଶହ ଭୋଟର ବିଶିଷ୍ଟ ଏହି ଅଞ୍ଚଳରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୋବାଇଲ ଟାୱାର ବସାଇ ନେଟୱାର୍କ ସମସ୍ୟା ନ ସୁଧୁରିଲେ ବାଧ୍ୟ ହୋଇ ସାଧାରଣ ଲୋକେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ଗ୍ରାମବାସୀଙ୍କ ଦାବୀ ମୁତାବକ ସ୍ୱାଧୀନତାର ୭୭ ବର୍ଷ ପରେ ଜିଲ୍ଲା ତଥା ମୁରିବାହାଲ ବ୍ଲକ ମୁଖ୍ୟାଳୟକୁ ଫୋର୍‌ଜିରୁ ଫାଇଭ୍‌ଜି ନେଟୱାର୍କ ପର୍ଯ୍ୟନ୍ତ ପହଞ୍ଚି ସାରିଥିବା ବେଳେ ବ୍ଲକ ମୁଖ୍ୟାଳୟରୁ ମାତ୍ର ୫କିମି ଦୂରରେ ଥିବା ବାରବନ୍ଧ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ସାମାନ୍ୟ ମୋବାଇଲ୍ ନେଟୱାର୍କ ପହଞ୍ଚି ପାରିନାହିଁ । ଫଳରେ ସାଧାରଣ ଗ୍ରାମବାସୀଙ୍କୁ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେଉକି କାହାର କେଉଁଠି ଦୁର୍ଘଟଣା ହେଲେ ଗଛ କିମ୍ବା ପାଣିଟାଙ୍କି ଉପରକୁ ଚଢ଼ିବାକୁ ପଡ଼ିଥାଏ । ବେଳେବେଳେ ନିଜର କେହି ଆତ୍ମୀୟ ଲୋକଙ୍କ ମୃତ୍ୟୁ ହେଲେ କିଛିଦିନ ପରେ ଖବର ଜାଣିବାକୁ ପାଇଥାନ୍ତି । ବିଶେଷତଃ ଛାତ୍ରଛାତ୍ରୀମାନେ ମହାମାରୀ କରୋନା ସମୟରେ ଅନ୍‌ଲାଇନ୍‌ ପାଠପଢାରୁ ବଞ୍ଚିତ ହୋଇଥିବା ବେଳେ ଏବେବି ସେମାନେ ନେଟୱାର୍କ ସମସ୍ୟା ସହ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ଓ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ପୂର୍ବରୁ ବହୁଥର ସ୍ଥାନୀୟ ଜନପ୍ରତିନିଧି, ବିଡ଼ିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ତଥା ୫-ଟି ସଚିବଙ୍କ ଗସ୍ତ ବେଳେ ଲିଖିତ ଦାବିପତ୍ର ଦେଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସୁଫଳ ମିଳି ପାରିନାହିଁ । ଏଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବାରବନ୍ଧ ଅଞ୍ଚଳରେ ମୋବାଇଲ ନେଟୱାର୍କ ସମସ୍ୟା ନ ସୁଧୁରିଲେ ବାଧ୍ୟ ହୋଇ ଆଗାମୀ କିଛି ଦିନ ମଧ୍ୟରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନକୁ ୯ଶହ ଭୋଟର ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ରକୁ ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକ ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ ଗ୍ରହଣ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ଗ୍ରାମର ଗିରିଧାରୀ ସାହୁ, ଆଲୋକ ସାହୁ, ବଳବନ୍ତ ଭୋଇ, ସୁବ୍ରତ ବଘାର, ବାବୁଲୁ ସାହୁ, ହେମାସାଗର ବଘାର, ହରିଶଙ୍କର ଧରୁଆ, ଭକ୍ତ ସାହୁ, ବୁଡୁ ଚିନ୍ଦା, ଗୋପାଳ ଚିନ୍ଦା, ରାମ ବାଗ, ଶଙ୍କର ଧଙ୍ଗଡ଼ା ମାଝୀ, ପବିତ୍ର ସାହୁ, ଉମେଶ ସାହୁ, ନିରଞ୍ଜନ ସାହୁ, ଗୋବିନ୍ଦ ଭୋଇ, ରୁଦ୍ର ସିଂ ଭୋଇ, ଆକାଶ ସାହୁ, ହୃଦାନନ୍ଦ ଭୋଇ, ପୁଣ୍ୟ ମାଝୀ, ଟଙ୍କ ମାଝୀ, ଦୁର୍ବାସା ସାହୁ, ପ୍ରଶାନ୍ତ ବାଗ, ଶମ୍ଭୁ ସାହୁ, ତେଜୁ ସାହୁ, ଅନାଥ ସାହୁ, ବୀରଭଦ୍ର ନାଏକ, ମନ୍ଧର ଖର୍ସେଲଙ୍କ ସହ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

fifteen + 5 =