
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ସରକାରଙ୍କ ୧୭ ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଏନ୍ଏସି ଅନ୍ତର୍ଗତ ସାରସମୁଣ୍ଡା ଗ୍ରାମ କାଲସାଏ ପରିବାରର ୩ ଭାଇ ଭଉଣୀ ଚିକିତ୍ସା ସେବା କ୍ଷେତ୍ରରେ ନିଯୁକ୍ତି ହୋଇ ପରିବାର ତଥା ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ବଂଶୀଧର କାଲସାଏ ତଥା ତାଙ୍କର ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅହଲ୍ୟା କାଲସାଏଙ୍କ ଝିଅ ସସ୍ମିତା କାଲସାଏ ମେଡିସିନ ସ୍ପେସାଲିଷ୍ଟ ଭାବେ ନିଯୁକ୍ତି ପାଇ ବୁର୍ଲାସ୍ଥିତ ଭୀମସାର୍ ଠାରେ ପିଜି ଅଧ୍ୟୟନ କରୁଛନ୍ତି । ଅନ୍ୟ ଝିଅ ପ୍ରଜ୍ଞା ପରମିତା କାଲସାଏ ଭବାନୀପାଟଣା ସ୍ଥିତ ଏସ୍ଆର୍ଏମ୍ କଲେଜ ଏଣ୍ଡ ହସ୍ପିଟାଲରେ ସହକାରୀ ପ୍ରଫେସର ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ବଂଶୀଧରଙ୍କ ସାନଭାଇ ବେଳେ ଇଞ୍ଚେକ୍ କାଲସାଏଙ୍କ ପୁଅ ପ୍ରଦ୍ୟୁମ୍ନ କାଲସାଏ ବଲାଙ୍ଗିର ଭୀମଭୋଇ କଲେଜ ଏଣ୍ଡ ହସ୍ପିଟାଲରେ ନିଯୁକ୍ତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏହି ପରିବାରରେ ଦୁଇଜଣ ଡାକ୍ତରୀ ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅରବିନ୍ଦ କାଲସାଏ ଲୋଇସିଂହା ଡାକ୍ତରଖାନାରେ ଶିଶୁ ବିଶେଷଜ୍ଞ ଭାବେ ନିଯୁକ୍ତ ହୋଇଥିବା ବେଳେ ସଙ୍ଗୀତା କାଲସାଏ ଏମ୍ବିବିଏସ୍ ପାସ କରିଥିବା ଜଣାଯାଇଛି । ଡାକ୍ତରୀ ସେବାରେ ପରିବାରର ପିଲାମାନେ ନିୟୋଜିତ ରହି ଲୋକଙ୍କ ସେବା କରୁଥିବା ଯୋଗୁଁ ସେ ଗର୍ବିତ ଥିବା ବଂଶୀଧର ପ୍ରକାଶ କରିଛନ୍ତି ।