pakka

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ଚୈତ୍ର ମହୋତ୍ସବ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜର ଚୈତ୍ର ମହୋତ୍ସବ ଓ ୨୪ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଭଞ୍ଜଭବନ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଆଇନ ମହାବିଦ୍ୟାଳୟ ଓ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ନିଖିଳ ଉତ୍କଳ କୈବର୍ତ୍ତ ସମାଜର ରାଜ୍ୟ ସଭାପତି ଡକ୍ଟର ଦେବେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୈବର୍ତ୍ତ ସମାଜର ପାରମ୍ପରିକ ପୃଷ୍ଠଭୂମି, ଐତିହ୍ୟ ଓ ସମାଜକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି କୈବର୍ତ୍ତ ସମାଜର ଭାଇମାନଙ୍କ ମଧ୍ୟରେ ଐକ୍ୟବଦ୍ଧତା, ଭାଇଚାରା ବଜାୟ ରଖି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଆର୍‌ଏସ୍‌ପିର ପ୍ରାକ୍ତନ ମହାପ୍ରବନ୍ଧକ ଅରୁଣ କୁମାର ବେହେରା ଚୈତ୍ର ମହୋତ୍ସବ ପାଳନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଷ୍ଟେଟବ୍ୟାଙ୍କର ଅଧିକାରୀ ସରୋଜ ରାଉତରାୟ, ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ, ସମାଜସେବୀ ରେବତୀ ବଲ୍ଲଭ ବେହେରା ପ୍ରମୁଖ ଯୋଗଦେଇ ଥିଲେ । ଡ. ଦତ୍ତଙ୍କୁ ରାଜ୍ୟସ୍ତରୀୟ ପୁଲିସ କର୍ମଶାଳାରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଡ. ଦତ୍ତ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଥିଲେ । ଏହି ଅବସରରେ ସାଧାରଣ ସମ୍ପାଦକ ଭ୍ରମରବର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ନଟବର ବେହେରା, ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା, ଉପସଭାପତି କୁମୁଦ ବେହେରା, ଉପସାଧାରଣ ସମ୍ପାଦକ ବନ୍ଧୁଆ ବେହେରା, ସଂଗଠନ ସଂପାଦକ ହରେକୃଷ୍ଣ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ଉପାଦେୟ ପ୍ରସ୍ତାବ ମାନ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବହୁ କୈବର୍ତ୍ତ ସମାଜର ସଦସ୍ୟ, ସଦସ୍ୟାମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

18 − two =